ବରିଷ୍ଠ ବିଜେପି ନେତା ଶଙ୍କର ପରିଡ଼ାଙ୍କ ଦେହାନ୍ତ

ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର, ୩୦/୧୦: ବରିଷ୍ଠ ବିଜେପି ନେତା ଶଙ୍କର ପରିଡ଼ାଙ୍କ ପରଲୋକ। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଦୀର୍ଘ ଦିନ‌ ଧରି ସେ ଫୁସଫୁସ ଜନିତ କର୍କଟ ରୋଗରେ ପୀଡିତ ଥିଲେ। ପରଲୋକ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଶଙ୍କର ପରିଡ଼ା ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଏଥି ସହ ଏକାଧାରରେ ଜଣେ ସମାଜସେବୀ, କବି ଓ ଗାଳ୍ପିକ ଥିଲେ।

ଶଙ୍କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମ ଦଳର ବରିଷ୍ଠ ନେତା ତଥା ସୁସାହିତ୍ୟିକ ଶଙ୍କର୍ଷଣ ପରିଡାଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ। ତାଙ୍କର ଦେହାନ୍ତ ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ତାଙ୍କର ଆଦର୍ଶ, କର୍ତ୍ତବ୍ୟନିଷ୍ଠା ଓ ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ଭାବନା ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ।

ଏହି ଦୁଃଖଦ ସମୟରେ, ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।”

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଆମ ଦଳର କାର୍ଯ୍ୟକର୍ତ୍ତା, ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ସାହିତ୍ୟିକ ଶଙ୍କର ପରିଡ଼ାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ସ୍ନେହୀ ଓ ମେଳାପି ସ୍ୱଭାବର ବ୍ୟକ୍ତି ଥିଲେ । ସମାଜ ସେବା, ସାହିତ୍ୟ ଏବଂ ଆମ ଦଳର ସଂଗଠନକୁ ସୁଦୃଢ଼ କରିବା ଦିଗରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।”