ମୁମ୍ବାଇ, ୩୦/୧୦: ଗୁରୁବାର ଅପରାହ୍ନରେ ମୁମ୍ବାଇରେ ଏକ କିଡନାପ୍ ଡ୍ରାମାକୁ ନେଇ ଉଠିଛି ପଡିଛି ମହାରାଷ୍ଟ୍ର। ପୱାଇ ଅଞ୍ଚଳରେ ଥିବା “RAW ଷ୍ଟୁଡିଓ”ରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ୧୭ ଜଣ ପିଲାଙ୍କୁ ବନ୍ଧକ କରି ନେବା ପରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା। ଏହି ଘଟଣା ସ୍ପଷ୍ଟ ଦିବାଲୋକରେ ଷ୍ଟୁଡିଓ ପରିସରରେ ଘଟିଥିବାରୁ ଅଞ୍ଚଳରେ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।
ଘଟଣା ପରେ ତୁରନ୍ତ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ, ଅଭିଯୁକ୍ତ ରୋହିତ ଆର୍ଯ୍ୟକୁ ହେପାଜତକୁ ନିଆଯାଇଥିଲା। ପିଲାମାନଙ୍କୁ ଉଦ୍ଧାର କରିବା ବେଳେ ପୋଲିସର ଗୁଳିରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଲିସ ଗୁଳିରେ ସେ ଗୁରୁତର ହୋଇଥିଲା। ଏହା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।
ଡିସିପି ଦତ୍ତ କିଶନ ନାଲାୱାଡେଙ୍କ କହିବା ଅନୁଯାୟୀ, ପୋଲିସ ଅପରାହ୍ନ ପ୍ରାୟ ୧:୪୫ ସମୟରେ ଘଟଣା ସମ୍ପର୍କରେ ସୂଚନା ପାଇଥିଲା। ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଷ୍ଟୁଡିଓ ଭିତରେ ଫସି ରହିଥିବା ପିଲାମାନଙ୍କୁ ଉଦ୍ଧାର କରିଥିଲେ। ବନ୍ଧକଙ୍କ ମଧ୍ୟରେ ମୋଟ ୧୭ ଜଣ ପିଲା, ଜଣେ ବରିଷ୍ଠ ନାଗରିକ ଏବଂ ଜଣେ ବ୍ୟକ୍ତି ଥିଲେ। ପ୍ରାରମ୍ଭରେ, ପୋଲିସ ଅଭିଯୁକ୍ତଙ୍କ ସହିତ କଥାବାର୍ତ୍ତା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ପୋଲିସ ଯେତେବେଳେ ସେଥିରେ ବିଫଳ ହେଲା, ପୋଲିସ ବଳପୂର୍ବକ ଷ୍ଟୁଡିଓରେ ପ୍ରବେଶ କରିଥିଲା। କ୍ୱିକ୍ ରେସପନ୍ସ ଟିମ୍ ଏବଂ ସ୍ୱତନ୍ତ୍ର ବଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ପୋଲିସ ଷ୍ଟୁଡିଓରୁ କିଛି ରାସାୟନିକ ପଦାର୍ଥ ଏବଂ ଏକ ଏୟାର ଗନ୍ ମଧ୍ୟ ଜବତ କରିଛି।
ପୋଲିସ ତଦନ୍ତରୁ ଜଣାପଡିଛି ଯେ ପିଲାମାନଙ୍କୁ ଏକ ୱେବ୍ ସିରିଜ୍ ପାଇଁ ଅଡିସନ୍ ପାଇଁ ପ୍ରଲୋଭିତ କରାଯାଇଥିଲା ଏବଂ ପରେ ସେମାନଙ୍କୁ ବନ୍ଧକ ରଖାଯାଇଥିଲା। ବନ୍ଧକମାନଙ୍କ ମଧ୍ୟରେ ଛୋଟ ପିଲା ଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରିଥିଲା। ପୋଲିସ ଷ୍ଟୁଡିଓର ସାମନା ପଟୁ ନ ଯାଇ ବାଥରୁମ୍ ଦେଇ ଷ୍ଟୁଡିଓରେ ପ୍ରବେଶ କରିଥିଲା।
ପିଲାମାନଙ୍କ ବୟସ ୪ ରୁ ୫ ବର୍ଷ ମଧ୍ୟରେ ଥିଲା, ଯେଉଁଥିରେ ଅନେକ ଛୋଟ ଝିଅ ମଧ୍ୟ ଥିଲେ। ପିଲାମାନେ ଅନେକ ସମୟ ଧରି କୋଠା ଭିତରେ ବନ୍ଦ ହୋଇ ରହିବାରୁ ସେମାନେ ଭୟଭୀତ ହୋଇ ଯାଇଥିଲେ।
ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ବିଲ୍ଡିଂରେ ଲାଗିଥିବା CCTV ଫୁଟେଜ୍ ଯାଞ୍ଚ କରୁଛି।