ବିଜେଡିର ଅଣଦେଖା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁର ଅନ୍ୟତମ କାରଣ: କଳ୍ପନା ଢୋଲକିଆ
‘ବିଜେଡିର ପ୍ରଚାରରେ ଆମ ପରିବାର ନାଁ ନେବାକୁ ବିରୋଧ କରୁଛୁ’
ନୂଆପଡ଼ା, ୦୪/୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଦଳ ଅଦଳ ବଦଳ ପ୍ରସଙ୍ଗକୁ ନେଇ ବୟାନବାଜି ଥମିବାର ନାଁ ଧରୁନି। ଗତ କାଲି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ଜୟ ଢୋଲକିଆଙ୍କ ଦଳ ଛାଡ଼ିବାକୁ ନେଇ ସମାଲୋଚନା କରିଥିଲେ। ଯାହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ। ନୂଆପଡ଼ାରେ ବିଜେଡି ଉପରେ ବର୍ଷିବା ସହ ବିସ୍ଫୋରକ ବୟାନ ଦେଇଛନ୍ତି।
କଳ୍ପନା କହିଛନ୍ତି, “ଅସମୟରେ ଢୋଲକିଆଙ୍କ ସହ ଛିଡ଼ା ହୋଇନଥିଲା ବିଜେଡି। ରାଜେନ୍ଦ୍ର ଢୋଲକିଆ ଶଯ୍ୟାଶାୟୀ ଥିବାବେଳେ ବିଜେଡିର କେହି ଦେଖା କରିନଥିଲେ। ଫୋନ୍ କଲେନି କି ହସ୍ପିଟାଲ୍ ଚିକିତ୍ସା ନେଇ ପଚାରିଲେନି। ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ ବଢ଼ାଏ, କିନ୍ତୁ ବିଜେଡି ତାହା କଲାନି। ବିଜେଡିର ଅଣଦେଖା ଅସୁସ୍ଥତାର ଅନ୍ୟତମ କାରଣ। ଆଜି ଏହି ଲୋକ ଆମ ପରିବାର ଉପରେ ଟିପ୍ପଣୀ କରୁଛନ୍ତି। ମୃତ୍ୟୁ ପରେ ବି ତାଙ୍କ ପରିବାରକୁ ଯେଉଁଭଳି ଭାବେ ଅସମ୍ମାନ କରାଯାଇଛି ତାହା ଗ୍ରହଣୀୟ ନୁହେଁ। ୨୪ ବର୍ଷ ଦଳ ସହ ରହିବା ପରେ ସମ୍ବେଦନଶୀଳ ରାଜନୀତି ଠିକ୍ ନୁହେଁ। ବିଜେଡିର ପ୍ରଚାରରେ ଆମ ପରିବାର ନାଁ ନେବାକୁ ବିରୋଧ କରୁଛୁ ବୋଲି କହିଛନ୍ତି।
ସେହିପରି ନିର୍ବାଚନ ପ୍ରଚାରରେ ଢୋଲକିଆଙ୍କ ଫଟୋ ବ୍ୟବହାର ଉପରେ ମଧ୍ୟ ଆପତ୍ତି ଉଠାଇଛନ୍ତି କଳ୍ପନା। ଆଉ କହିଛନ୍ତି, “ବିଜେଡି ଢୋଲକିଆଙ୍କ ଫଟୋ ବ୍ୟବହାରର ନୈତିକ ଅଧିକାର ହରାଇଛି। ଏଥି ସହ ଜୟ ଟଙ୍କା ନେଇ ଅନ୍ୟଦଳକୁ ଯିବା ଆରୋପ ମିଥ୍ୟା ବୋଲି କହିଛନ୍ତି କଳ୍ପନା। ନୂଆପଡ଼ାରେ ବିକାଶର ଧାରାକୁ ଆଗକୁ ନେବା ଲାଗି ଜୟ ବିଜେପିରେ ସାମିଲ। ନୂଆପଡ଼ାକୁ ବିକାଶ ପଥରେ ଆଗେଇ ନେବାର ସ୍ବପ୍ନ ଦେଖିଥିଲେ ରାଜେନ୍ଦ୍ର ଢୋଲକିଆ। ଉତ୍ତରାଧିକାରୀ କିଏ ହେବ ପରିବାର ନିଷ୍ପତ୍ତି ନେବ, କୌଣସି ଦଳ ନୁହେଁ ବୋଲି ଆହୁରି କହିଛନ୍ତି।