ବସ୍ତରରେ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିଲେ ମୋଦି
ସମ୍ବିଧାନ ଓ ଗଣତନ୍ତ୍ର ବିରୋଧରେ ଲୋକଙ୍କୁ ଉସୁକାଉଛନ୍ତି ‘ଦିମାଗୀ ନକ୍ସଲ’: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୦୮/୧୧: ଦେଶରୁ ସଶସ୍ତ୍ର ନକ୍ସଲବାଦର ଅନ୍ତ ଘଟିଥିଲେ ମଧ୍ୟ ଏହାର ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ଜଙ୍ଗଲରେ ସଶସ୍ତ୍ର ନକ୍ସଲମାନେ ନିପାତ ହୋଇଥିବା ବେଳେ ଏବେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳରେ ‘ଦିମାଗୀ ନକ୍ସଲ’ ସକ୍ରିୟ ରହିଛନ୍ତି। ସେମାନେ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ବିରୋଧରେ ଲୋକଙ୍କୁ ଉସୁକାଉଛନ୍ତି। ତେଣୁ ଏଭଳି ତତ୍ତ୍ୱଙ୍କୁ ଚିହ୍ନଟ କରି ସେମାନଙ୍କୁ ପରାସ୍ତ କରିବା ସହ ଦେଶର ସୁରକ୍ଷା ସୁନିଶ୍ଚିତ କରିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ରବିବାର ଛତିଶଗଡ଼ର ବସ୍ତର ଜିଲ୍ଲା କରଣପୁରସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ମୋଦି। ସେ କହିଛନ୍ତି, ଦେଶର ଜଙ୍ଗଲ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରୁ ସଶସ୍ତ୍ର ନକ୍ସଲବାଦକୁ ଦୂର କରାଯାଇଛି। କିନ୍ତୁ ଏହାର ବିଚାରଧାରାକୁ ସମର୍ଥନ କରୁଥିବା କିଛି ଲୋକ ଏବେ ବି ବିଭିନ୍ନ ସଂସ୍ଥା ଓ ସଂଗଠନରେ ପ୍ରଭାବ ବିସ୍ତାର କରୁଛନ୍ତି।
ମୋଦି କହିଛନ୍ତି, ଏହି ‘ଦିମାଗୀ ନକ୍ସଲ’ମାନେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନରେ ପ୍ରବେଶ କରିଛନ୍ତି। ସେମାନେ ଲୋକଙ୍କୁ ଦେଶର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଉସୁକାଇବାକୁ ଉଦ୍ୟମ କରୁଛନ୍ତି। ତେଣୁ ଏଭଳି ଚିନ୍ତାଧାରା ଓ କାର୍ଯ୍ୟକଳାପ ପ୍ରତି ଦେଶବାସୀଙ୍କୁ ସତର୍କ ରହିବାକୁ ହେବ ବୋଲି ସେ ଆହ୍ୱାନ ଦେଇଛନ୍ତି।
ଦୀପାବଳି ଅବସରରେ ସୁରକ୍ଷାକର୍ମୀଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ, ଚଳିତ ବର୍ଷର ଦୀପାବଳି ଦେଶ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ, ଦୀର୍ଘ ଦଶନ୍ଧି ଧରି ଦେଶକୁ ଅଶାନ୍ତ କରି ରଖିଥିବା ନକ୍ସଲବାଦ ବିରୋଧୀ ଲଢ଼େଇରେ ଏକ ବଡ଼ ସଫଳତା ମିଳିଛି। ଦେଶର ପ୍ରତ୍ୟେକ ଜିଲ୍ଲା ନକ୍ସଲ ଆତଙ୍କରୁ ମୁକ୍ତ ହୋଇଥିବା ଏହା ପ୍ରଥମ ଦୀପାବଳି।
ଏଥିସହ ଗତ ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗତ ଏକ ବର୍ଷ ମଧ୍ୟରେ ଅପରେସନ୍ ସମୟରେ ଜଣେ ମଧ୍ୟ ସିଆରପିଏଫ ଯବାନ ସହିଦ ହୋଇନାହାନ୍ତି। ଏହା ସୁରକ୍ଷାବଳର ସାହସ, ଦକ୍ଷତା, ଆତ୍ମସଂଯମ ଏବଂ ସରକାରଙ୍କ ଦୃଢ଼ ନୀତିର ଫଳ।
ନକ୍ସଲବାଦର ପୂର୍ବ ସ୍ଥିତିକୁ ମନେ ପକାଇ ମୋଦି କହିଥିଲେ, ଦେଶର ପ୍ରାୟ ୨୦ଟି ରାଜ୍ୟର ୨୩୦ରୁ ଅଧିକ ଜିଲ୍ଲା ଏକଦା ବାମପନ୍ଥୀ ନକ୍ସଲବାଦ ଦ୍ୱାରା ପ୍ରଭାବିତ ଥିଲା। ଛତିଶଗଡ଼ରେ ଦୀର୍ଘବର୍ଷ ଧରି ନକ୍ସଲ ହିଂସା ଯୋଗୁଁ ଅନେକ ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।
୨୦୧୦ର ଦନ୍ତେୱାଡ଼ା ଆକ୍ରମଣରେ ୭୬ ଜଣ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟଣାକୁ ମଧ୍ୟ ସେ ମନେ ପକାଇଥିଲେ। ନକ୍ସଲବାଦ ବିରୋଧୀ ଲଢ଼େଇରେ ଛତିଶଗଡ଼ରେ ୧,୦୦୦ରୁ ଅଧିକ ସୁରକ୍ଷାକର୍ମୀ ପ୍ରାଣବଳି ଦେଇଥିବା ସେ କହିଥିଲେ।
ନକ୍ସଲବାଦ ଦମନ ପ୍ରସଙ୍ଗରେ ପୂର୍ବ ସରକାରଗୁଡ଼ିକୁ ସମାଲୋଚନା କରି ମୋଦି କହିଥିଲେ, ପୂର୍ବରୁ ସୁରକ୍ଷାବଳଙ୍କୁ ମଇଦାନରେ ଆବଶ୍ୟକ ସ୍ୱାଧୀନତା ଦିଆଯାଉନଥିଲା। ନକ୍ସଲ ଆକ୍ରମଣ ହେଉଥିଲେ ମଧ୍ୟ ଯବାନମାନେ ଉଚିତ ପଦକ୍ଷେପ ନେବାରେ ବାଧା ସାମ୍ନା କରୁଥିଲେ। କିନ୍ତୁ ତାଙ୍କ ସରକାର ସୁରକ୍ଷାବଳକୁ ଆବଶ୍ୟକ ନିଷ୍ପତ୍ତି ନେବାର ସ୍ୱାଧୀନତା ଦେଇଛି।
ଏଥିସହ ନକ୍ସଲ ସଂଗଠନଗୁଡ଼ିକର ଆର୍ଥିକ ସହାୟତା ଓ ଯୋଗାଣ ବ୍ୟବସ୍ଥାକୁ ଦୁର୍ବଳ କରିବା ଉପରେ ସରକାର ଗୁରୁତ୍ୱ ଦେଇଥିଲେ। ନକଲି ନୋଟ୍ କାରବାର ଓ ଅନ୍ୟାନ୍ୟ ଆର୍ଥିକ ନେଟୱର୍କ ଉପରେ ଆଘାତ ଯୋଗୁଁ ନକ୍ସଲ ସଂଗଠନଗୁଡ଼ିକର ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛନ୍ତି।
ନକ୍ସଲ ପ୍ରଭାବିତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କଥା ଉଠାଇ ମୋଦି କହିଛନ୍ତି, ନକ୍ସଲମାନେ ସ୍କୁଲ ନିର୍ମାଣ, ହସ୍ପିଟାଲ, ମୋବାଇଲ ଟାୱାର, ରେଳପଥ ଏବଂ ଶିଳ୍ପ ପ୍ରତିଷ୍ଠା ଭଳି ବିକାଶମୂଳକ କାର୍ଯ୍ୟକୁ ବିରୋଧ କରୁଥିଲେ। ଏହାଦ୍ୱାରା ଆଦିବାସୀ ଓ ଗରିବ ଲୋକମାନେ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରର ସୁଯୋଗରୁ ବଞ୍ଚିତ ହୋଇଥିଲେ।
ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଅଭିଯାନ ସହିତ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହି ଅଞ୍ଚଳରେ ରାସ୍ତା, ମୋବାଇଲ ଟାୱାର, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ଆଇଟିଆଇ ଓ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି। ଏହାଦ୍ୱାରା ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ପହଞ୍ଚିପାରିଛି।
ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରି ମୋଦି କହିଥିଲେ, ଦୀପାବଳି ହେଉଛି ପରିବାର ସହ ଖୁସି ବାଣ୍ଟିବାର ପର୍ବ। କିନ୍ତୁ ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହୁଥିବା ଯବାନମାନଙ୍କୁ ସେ ନିଜ ପରିବାରର ସଦସ୍ୟ ଭାବନ୍ତି। ଦେଶର ସୁରକ୍ଷାରେ ନିୟୋଜିତ ପ୍ରତ୍ୟେକ ଯବାନ ତାଙ୍କ ପରିବାରର ଅଂଶ ବୋଲି ସେ କହିଥିଲେ।
ଏହି ଅବସରରେ ସିଆରପିଏଫ, କୋବ୍ରା, ବିଏସଏଫ, ଆଇଟିବିପି, ଏସଏସବି, ଛତିଶଗଡ଼ ପୋଲିସ, ବସ୍ତର ଫାଇଟର୍ସ ଏବଂ ମହିଳା କମାଣ୍ଡୋଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ।