ଆମେରିକା, ୦୮/୧୧: ଆମେରିକା ତାର ଭିସା ନିୟମାବଳୀରେ ଆଜି ପର୍ଯ୍ୟନ୍ତ ସବୁଠାରୁ ବଡ଼ ପରିବର୍ତ୍ତନ କରିଛି। ଏବେ, ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭିସା ପ୍ରଦାନ କିମ୍ବା ପ୍ରତ୍ୟାଖ୍ୟାନ କରିବାରେ ଏକ ପ୍ରମୁଖ କାରଣ ହୋଇପାରେ। ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ଆବେଦନକାରୀ ପବ୍ଲିକ୍ ଚାର୍ଜ’ ହେବାର ସମ୍ଭାବନା ଥାଏ ତାହାଲେ ସେମାନଙ୍କ ଭିସା ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବ। ‘ପବ୍ଲିକ ଚାର୍ଜ’ ଅର୍ଥାତ୍ ସରକାରଙ୍କ ଉପରେ ଆର୍ଥିକ ବୋଝ।
ପୂର୍ବରୁ, ଆମେରିକା କେବଳ ସଂକ୍ରାମକ ରୋଗ ଏବଂ ଟୀକାକରଣ ପ୍ରମାଣପତ୍ର ଉପରେ ଧ୍ୟାନ ଦେଉଥିଲା, କିନ୍ତୁ ବର୍ତ୍ତମାନ, ନୂତନ ନୀତି ଅନୁଯାୟୀ, ମେଦବହୁଳତା, ମଧୁମେହ, ହୃଦରୋଗ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଅନ୍ୟାନ୍ୟ ଗମ୍ଭୀର ରୋଗ ମଧ୍ୟ ଯାଞ୍ଚ ପରିସରକୁ ଆସିଛି।
ନୂତନ ନୀତିରେ ମେଦବହୁଳତାକୁ “ରେଡ୍ ଫ୍ଲାଗ୍” ଭାବରେ ବିବେଚନା କରାଯାଇଛି କାରଣ ଏହା ଶ୍ଵାସକ୍ରିୟା ଜନିତ ରୋଗ, ରକ୍ତଚାପ, ନିଦ୍ରାଜନିତ ରୋଗ ଏବଂ ଅନ୍ୟାନ୍ୟ ଅନେକ ଗୁରୁତର ରୋଗ ସୃଷ୍ଟି କରିପାରେ।
ଆବେଦନକାରୀଙ୍କୁ ଏବେ ଭିସା ଆବେଦନ ସମୟରେ କେବଳ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ପଡିବ ନାହିଁ ବରଂ ଏହା ମଧ୍ୟ ପ୍ରମାଣ କରିବାକୁ ପଡିବ ଯେ ସେମାନଙ୍କ ପାଖରେ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳ ଅଛି ଏବଂ ସେମାନଙ୍କୁ ସରକାରୀ ସହାୟତାର ଆବଶ୍ୟକତା ପଡ଼ିବ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନିୟମ ବିଶେଷ ଭାବରେ ଆମେରିକାରେ ସ୍ଥାୟୀ ଭାବରେ ବସବାସ କରିବା ପାଇଁ ପ୍ରବାସୀ ଭିସା ପାଇଁ ଆବେଦନ କରୁଥିବା ଲୋକଙ୍କୁ ପ୍ରଭାବିତ କରିବ।