ବ୍ରହ୍ମପୁର ଆଇଜର ପରିସରରେ ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ୧୮୭ତମ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ଦେଶର ପ୍ରଥମ ଆଇଜର ଭାବେ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନର ଗୌରବ

ଭୁବନେଶ୍ୱର, ୧୯/୧୧: ଦେଶଭକ୍ତିର ଏକ ଗୌରବମୟ ସମାରୋହରେ ବ୍ରହ୍ମପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଜୁକେସନ ଏଣ୍ଡ ରିସର୍ଚ୍ଚ (ଆଇଜର) ପରିସରରେ ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି। ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଏହି ସ୍ତମ୍ଭକୁ ଆଇଜରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀ ଅଶୋକ କୁମାର ଗାଙ୍ଗୁଲି ଏହାକୁ ଲୋକାର୍ପିତ କରିଥିଲେ। ଜିନ୍ଦଲ ଷ୍ଟିଲର ସଭାପତି ଓ ଗ୍ରୁପ୍ ମୁଖ୍ୟ (ସିଏସଆର ଏଣ୍ଡ ଏଜୁକେସନ) ଶ୍ରୀ ପ୍ରଶାନ୍ତ ହୋତା, ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସିଇଓ ମେଜର ଜେନେରାଲ ଅସୀମ କୋହଲୀ ଓ ଆଇଜରର କୁଳସଚିବ ଶ୍ରୀ ପ୍ରଦୀପ କୁମାର ରାୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ।

ଏହି ସ୍ତମ୍ଭରେ ୩୬×୨୪ ବର୍ଗଫୁଟର ଏକ ବିଶାଳ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଉପସ୍ଥିତଥିଲେ। ଦେଶର ୭ଟି ଆଇଜର ମଧ୍ୟରୁ ପ୍ରଥମ ଅନୁଷ୍ଠାନ ଭାବେ ବ୍ରହ୍ମପୁର ଆଇଜର ଏଭଳି ସୁଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭର ସ୍ଥାପନ ଓ ବିଶାଳ ତ୍ରିରଙ୍ଗା ଉଡ଼ାଇବାର ଗୌରବ ଅର୍ଜନ କରିଛି।

ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଫେସର ଶ୍ରୀ ଗାଙ୍ଗୁଲି କହିଛନ୍ତି, “ସ୍ମାରକୀ ଜାତୀୟ ପତାକା ସ୍ତମ୍ଭର ପ୍ରତିଷ୍ଠା ଓ ଜାତୀୟ ପତାକା ଉତ୍ତୋଳନ ଆମ ଅନୁଷ୍ଠାନ ପାଇଁ ଅତ୍ୟନ୍ତ ଗୌରବର ବିଷୟ। କ୍ୟାମ୍ପସରେ ଏହାର ଉପସ୍ଥିତି ଆମ ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକଙ୍କ ପାଇଁ ପ୍ରେରଣା ହେବା ସହ ଭାରତର ବିକାଶ ପାଇଁ ଆମର ସାମଗ୍ରିକ ଓ ଅର୍ଥପୂର୍ଣ୍ଣ ଅବଦାନ ସମ୍ପର୍କରେ ସ୍ମରଣ କରାଇବ।” ସେ ମାନ୍ୟବର ସାଂସଦ ଶ୍ରୀ ନବୀନ ଜିନ୍ଦଲଙ୍କ ସହ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ଶ୍ରୀ ନବୀନ ଜିନ୍ଦଲ ଆଇଜରର ବିଜ୍ଞାନ ଗବେଷଣାକୁ ଉଚ୍ଚ ପ୍ରଶଂସା କରିବା ସହ କହିଛନ୍ତି ଯେ କ୍ୟାମ୍ପସ ପରିସରରେ ଏହି ତ୍ରିରଙ୍ଗା ସବୁଦିନ ଏଠାକାର ଛାତ୍ରଛାତ୍ରୀଙ୍କୁ ଦେଶ ଗଠନରେ ଅବଦାନ ସହ ବିଜ୍ଞାନ ଗବେଷଣା ଦ୍ୱାରା ସାଧାରଣ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବାକୁ ପ୍ରେରଣା ଯୋଗାଇବ।

ସସମ୍ମାନେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରତ୍ୟକ ନାଗରିକଙ୍କୁ ଅଧିକାର ଦେବାକୁ ଶ୍ରୀ ନବୀନ ଜିନ୍ଦଲଙ୍କ ପ୍ରତିଶ୍ରୁତିବଦ୍ଧତା ସମ୍ପର୍କରେ ଜିନ୍ଦଲ ଷ୍ଟିଲର ସଭାପତି ଓ ଗ୍ରୁପ୍ ମୁଖ୍ୟ (ସିଏସଆର ଏଣ୍ଡ ଏଜୁକେସନ) ଶ୍ରୀ ପ୍ରଶାନ୍ତ ହୋତା ଆଲୋକପାତ କରିଥିଲେ। ଶ୍ରୀ ହୋତା କହିଥିଲେ, “ ଶ୍ରୀ ନବୀନ ଜିନ୍ଦଲଙ୍କ ଉଲ୍ଲେଖନୀୟ ଦଶନ୍ଧି ଦୀର୍ଘ ନ୍ୟାୟିକ ଲଢ଼େଇ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଶ୍ରୀ ଜିନ୍ଦଲ ମାତ୍ର ୨୪ ବର୍ଷର ହୋଇଥିଲେ। ଏହି ଲଢ଼େଇ ଏକ ଐତିହାସିକ ବିଜୟରେ ରୂପାନ୍ତରିତ ହୋଇଥିଲା ଏବଂ ପ୍ରତ୍ୟକ ଭାରତୀୟଙ୍କୁ ଜାତୀୟ ପତାକା ଉଡ଼ାଇବାର ଅଧିକାର ପ୍ରଦାନ କରିଥିଲା। ତାଙ୍କର ଏହି ଅଦମ୍ୟ ସାହସ, ଦୃଢ଼ ବିଶ୍ୱାସ ଓ ଅଧ୍ୟବସାୟପୂର୍ଣ୍ଣ ଯାତ୍ରାକୁ ଅନୁସରଣ କରି ଆମେ ସମସ୍ତେ ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବା।”

ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସିଇଓ ମେଜର ଜେନେରାଲ ଅସୀମ କୋହଲୀ କହିଥିଲେ, “ ଜାତୀୟ ପତାକା ଆମ ସାମଗ୍ରିକ ଉତ୍ସାହ ଓ ଏକତାର ନିଦର୍ଶନ। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ। ଏବଂ ଆମେ ଏହି ଅଭିଯାନକୁ ପ୍ରୋତ୍ସାହିତ କରୁଥିବାରୁ ବେଶ ଗର୍ବିତ। ସୁଉଚ୍ଚ ସ୍ତମ୍ଭ ଉପରେ ଜାତୀୟ ପତକା ଉଡ଼ିବା; ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ ଦେଶସେବା ପାଇଁ ପ୍ରେରିତ କରିବ।”

ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଜଗନ୍ନାଥ ପାତ୍ର, ବରିଷ୍ଠ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ସଞ୍ଜୟ ମାଝୀ ଓ ଆଇଜରର ବରିଷ୍ଠ ଅଧିକାରୀମାନେ ଉଦଘାଟନୀ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ। ଜାତୀୟ ପତାକା ଉତ୍ତୋଳନ ସମୟରେ ଏଠାରେ ଏକ ଜାତୀୟତା ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।ବ୍ରହ୍ମପୁର ଆଇଜର ପରିସରରେ ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି।