ଭାରତ ମୁହାଁ ସାମୁଦ୍ରିକ ଝଡ଼ ‘ଦିତୱା’

ମଧ୍ୟାହ୍ନରୁ ସନ୍ଧ୍ୟା ସୁଦ୍ଧା ଲାଣ୍ଡଫଲ୍, ଅନେକ ବିମାନ ଉଡାଣ ବାତିଲ୍

ଚେନ୍ନାଇ, ୩୦/୧୧: ସାମୁଦ୍ରିକ ଝଡ଼ ଦିତୱା ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଏବେ ଭାରତ ମୁହାଁ ହୋଇଛି। ତାମିଲନାଡୁ-ପୁଡୁଚେରୀ ଉପକୂଳ ଆଡକୁ ଧୀରେ ଧୀରେ ଆଗକୁ ବଢିବାରେ ଲାଗିଛି। ଯାହା ଫଳରେ ଉପକୂଳ ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ହେଉଛି।

ପ୍ରତିକୂଳ ପାଗ ଯୋଗୁଁ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି‌। ବିମାନ, ରେଳ ଏବଂ ସଡ଼କ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି।

SDRF ଏବଂ NDRF ର ଦଳ ସମେତ ଅନେକ ବିପର୍ଯ୍ୟୟ ମୁକାବିଲା କର୍ମଚାରୀ ପ୍ରସ୍ତୁତ ଅଛନ୍ତି। SDRF ଏବଂ NDRF ସମେତ ପ୍ରାୟ 28ଟି ବିପର୍ଯ୍ୟୟ ପ୍ରତିକ୍ରିୟା ଦଳ ପ୍ରସ୍ତୁତ ଅଛନ୍ତି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅନେକ ଅଞ୍ଚଳ ରେଡ୍ ଆଲର୍ଟରେ ରହିଛି।

ରବିବାର ସକାଳେ ୭୦-୮୦ କିଲୋମିଟର ବେଗରେ ଝଡ଼ବର୍ଷା ସହିତ ୯୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବା ନେଇ ମଧ୍ୟ ଆଇଏମଡି ସତର୍କ କରାଇ ଦେଇଛି। ପବନର ବେଗ ଧୀରେ ଧୀରେ ହ୍ରାସ ପାଇ ଡିସେମ୍ବର ୧ ତାରିଖ ସକାଳ ସୁଦ୍ଧା ୬୫ କିଲୋମିଟର ବେଗରେ ପବନ ବହିବ। ଡିସେମ୍ବର ୧ ଏବଂ ୨ ତାରିଖରେ ସମୁଦ୍ର ଅଶାନ୍ତ ରହିବ।

ଏପର୍ଯ୍ୟନ୍ତ କୌଣସି ମୃତାହତର ରିପୋର୍ଟ ମିଳିନାହିଁ। ତଥାପି, ୧୬ଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଛି ଏବଂ ୨୪ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ୬ ହଜାରରୁ ଅଧିକ ରିଲିଫ୍ କ୍ୟାମ୍ପ ପ୍ରସ୍ତୁତ ରଖାଯାଇଛି। ବିଭିନ୍ନ ସ୍ଥାନକୁ ଯାଉଥିବା ୫୪ଟି ବିମାନ ସେବା ବାତିଲ୍ କରାଯାଇଛି।

ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଦିତୱା’ ତାମିଲନାଡୁ-ପୁଡୁଚେରୀ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ତାମିଲନାଡୁରୁ ୭୦ କି.ମି ଓ ପୁଡୁଚେରୀରୁ ୩୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ରହିଛି।

ଅନ୍ୟପଟେ ବାତ୍ୟା ପାଇଁ ଶ୍ରୀଲଙ୍କାରେ ବନ୍ୟା ଏବଂ ଭୁସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି, ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ୨୦,୦୦୦ ରୁ ଅଧିକ ଘର ନଷ୍ଟ ହୋଇଯାଇଛି। ୧,୦୮,୦୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ପଠାଯାଇଛି।