କାନବେରା, ୧୦/୧୨: ଆଜି ଅର୍ଥାତ୍ ଡିସେମ୍ବର ୧୦ ରୁ ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ ହୋଇଛି। କିଶୋରୀମାନଙ୍କ ସୋସିଆଲ ମିଡ଼ିଆ ୟୁଜ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଅଷ୍ଟ୍ରେଲିଆ ସରକାର। ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ୧୦ଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେପରିକି TikTok, YouTube, ଏବଂ Meta ର Instagram ଏବଂ Facebook ସହିତ Threads, X (ପୂର୍ବରୁ Twitter), Snapchat, Kik, Twitch ଏବଂ Reddit କୁ ନିର୍ଦ୍ଦେଶ ଦିଆଯାଇଛି।
ଅଷ୍ଟ୍ରେଲିଆ ସରକାର କହିଛନ୍ତି ଯେ ଏହି ପ୍ରତିବନ୍ଧକ ଯୁବପିଢ଼ିଙ୍କୁ ଅନଲାଇନ୍ରେ ନକରାତ୍ମକ ବିଷୟବସ୍ତୁରୁ ସୁରକ୍ଷା ଦେବ। ଫେସବୁକ୍, ୟୁଟ୍ୟୁବ୍ ଏବଂ ଟିକଟକ୍ ସମେତ ସମସ୍ତ ତାଲିକାଭୁକ୍ତ ପ୍ଲାଟଫର୍ମ ଏବେ ନାବାଳକ ବ୍ୟବହାରକାରୀଙ୍କୁ ହଟାଇବା ପାଇଁ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ରାଜି ହୋଇଛନ୍ତି। ଏଲୋନ୍ ମସ୍କଙ୍କ ଏକ୍ସ ମଧ୍ୟ ନିଶ୍ଚିତ କରିଛି ଯେ ଏହା ଅଷ୍ଟ୍ରେଲିଆର ନୂତନ ଆଇନ ପାଳନ କରିବ।
ଡିସକର୍ଡ, ଗୁଗୁଲ୍ କ୍ଲାସରୁମ୍, ମେସେଞ୍ଜର, ଗିଟହବ୍, ହ୍ୱାଟ୍ସଆପ୍, ଲେଗୋ ପ୍ଲେ, ଷ୍ଟିମ୍, ରୋବଲୋକ୍ସ ଏବଂ ୟୁଟ୍ୟୁବ୍ କିଡ୍ସ ଭଳି ପ୍ଲାଟଫର୍ମଗୁଡ଼ିକ ବର୍ତ୍ତମାନ ଏହି ପ୍ରତିବନ୍ଧକରେ ଅନ୍ତର୍ଭୁକ୍ତ ନୁହେଁ। ତଥାପି, ଅଷ୍ଟ୍ରେଲିଆ ସରକାର କହିଛନ୍ତି ଯେ କିଛି ପ୍ଲାଟଫର୍ମ ଏବେ ବି ବିଚାରାଧୀନ ଅଛି। ଯାହା ସୂଚାଇ ଦେଇଛି ଯେ ଚୂଡ଼ାନ୍ତ ତାଲିକା ପରିବର୍ତ୍ତନ ହୋଇପାରେ।
ତେବେ ଯଦି କୌଣସି ସୋସିଆଲ ମିଡ଼ିଆ କମ୍ପାନୀ ଅଷ୍ଟ୍ରେଲିଆ ସରକାରଙ୍କ ଏହି ନିୟମ ଅବମାନନା କରେ, ତାହାଲେ ତାକୁ ୪୯.୫ ମିଲିୟନ ଅଷ୍ଟ୍ରେଲିଆନ ଡଲାର (୩୨ ନିୟୁତ ଆମେରିକାନ ଡଲାର) ବା ୨୮୩ କୋଟି ଟଙ୍କା ଜୋରିମାନା ଦେବାକୁ ପଡ଼ିବ।