ନଦୀପଠାରେ ବର୍ବରକାଣ୍ଡ: ପୁରୁଷ ବନ୍ଧୁଙ୍କ ସାମ୍ନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଧଉଳି ଘଟଣାରେ ଉଚିତ୍ ପଦକ୍ଷେପ ନେବେ ସରକାର: ଆଇନ ମନ୍ତ୍ରୀ

ଦିଲ୍ଲୀ ନିର୍ଭୟା କାଣ୍ଡ ମନେ ପକାଉଥିବା କହିଲେ ଆଇଏଏସ

ଭୁବନେଶ୍ୱର, ୧୬/୧୨: ରାଜଧାନୀରେ ଲଜ୍ଜା। ଧଉଳି ବୁଲିବାକୁ ଯାଇଥିବା ବେଳେ ନଈପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ପ୍ରେମିକକୁ ପଥରରେ ଛେଚି ଲହୁଲୁହାଣ କରିବା ପରେ ପ୍ରେମିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଖବର ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ପୀଡ଼ିତା ଧଉଳି ଥାନାରେ ଏତଲା ଦେବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣଙ୍କୁ ଖୋଜୁଛି ପୋଲିସ।

ଅଭିଯୋଗ ମୁତାବକ, ଗତ ୧୧ ତାରିଖରେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ଧଉଳି ଶାନ୍ତିସ୍ତୂପ ବୁଲିବାକୁ ଯାଇଥିଲେ। ସେଠାରୁ ସେମାନେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାଇକ୍‌ରେ ଫେରୁଥିଲେ। ଏହା ପରେ ସେମାନେ ଲିଙ୍ଗିପୁର-ଟଙ୍କପାଣି ରାସ୍ତାରେ ଫେରୁଥିବା ବେଳେ ଅଧାବାଟରେ ବାଇକ୍ ରଖି ଦୟାନଦୀ ପଠାରେ ବସିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ପୁରୁଷ ବନ୍ଧୁଙ୍କ ଟଙ୍କା ମାଗିଥିଲେ। ସେ ଟଙ୍କା ନ ଦେବାରୁ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ ପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଏପରିକି ଦୁଷ୍କର୍ମ ବେଳର ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ କରିଥିଲେ। କାହାରିକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହା ପରେ ଉଭୟ ପୁରୁଷ ବନ୍ଧୁ ଓ ନାବାଳିକା ସେଠାରୁ ଆସି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜୁଛି ପୋଲିସ। ବାଙ୍କୀ ର ବିଭୂପ୍ରସାଦ ମିଶ୍ର ଓ ଓଲଟପୁରର କାଳନ୍ଦୀ ଚରଣ ପାତ୍ର ଗିରଫ ହୋଇଛନ୍ତି। ଉଭୟଙ୍କ ଅପରାଧିକ ରେକର୍ଡ଼ ରହିଥିବା ଜଣାପଡିଛି।

ତେବେ ଏହି ଗଣଦୁଷ୍କର୍ମ ଘଟଣାକୁ ନେଇ ଆଇଏଏସ ସୁନୀଲ ନରୱାଣେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣା ଦିଲ୍ଲୀ ନିର୍ଭୟା କାଣ୍ଡ ମନେ ପକାଇ ଦେଉଛି। ୧୩ ବର୍ଷ ପରେ ବି ଆଇନ ଶୃଙ୍ଖଳା ପରିସ୍ଥିତି ସୁଧୁରିନି ବୋଲି କହିଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସରକାର ଧଉଳି ଘଟଣାରେ ଉଚିତ୍ ପଦକ୍ଷେପ ନେବେ। ସରକାର ମହିଳାଙ୍କ ଫାଷ୍ଟ ଟ୍ରାକ କୋର୍ଟ ପାଇଁ ଚିନ୍ତା କରୁଛନ୍ତି। ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ସରକାର ବ୍ୟବସ୍ଥା କରୁଛନ୍ତି।