ଜରୁରୀ ଅବତରଣ ବେଳେ ଧକ୍କା ହେଲା ବିମାନ

୧୦ ମୃତ, ୧୩୦ ଜଣଙ୍କୁ ଉଦ୍ଧାର

ମେକ୍ସିକୋ, ୧୬/୧୨: ମେକ୍ସିକୋର ଟୋଲୁକା ବିମାନବନ୍ଦର ନିକଟରେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା। ଏକ ଛୋଟ ପ୍ରାଇଭେଟ୍ ଜେଟ୍ ଜରୁରୀ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି।

ବିମାନଟି ମେକ୍ସିକୋର ପ୍ରଶାନ୍ତ ମହାସାଗର ଉପକୂଳରେ ଥିବା ଆକାପୁଲକୋରୁ ଉଡ଼ାଣ ଭରିଥିଲା। ମେକ୍ସିକୋ ସିଟିରୁ ପ୍ରାୟ ୫୦ କିଲୋମିଟର ପଶ୍ଚିମରେ ଟୋଲୁକା ବିମାନବନ୍ଦରରୁ ୫ କିଲୋମିଟର ଦୂରରେ ଏକ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳ ସାନ ମାଟେଓ ଆଟେନକୋରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଏକ ଫୁଟବଲ୍ ପଡିଆରେ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରୁଥିବା ବେଳେ ଏକ ବ୍ୟବସାୟିକ ପ୍ରତିଷ୍ଠାନର ଛାତରେ ଧକ୍କା ହୋଇ ବିଶାଳ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିଲା।

ତେବେ ଏହି ବିମାନରେ ୮ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟ ଥିଲେ। ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିମାନ ଧକ୍କା ହୋଇ ଅଗ୍ନିକାଣ୍ଡ ଘଟିବାର ଫଳରେ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୧୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।