ନୂଆଦିଲ୍ଲୀ, ୧୮/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ଓମାନର ସର୍ବୋଚ୍ଚ ନାଗରିକ ସମ୍ମାନ। ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ପାଇଁ ତାଙ୍କୁ ଅର୍ଡର ଅଫ୍ ଓମାନରେ ସମ୍ମାନିତ କରିଥିଲେ ସୁଲତାନ ହାଇଥାମ ବିନ୍ ତାରିକ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୁଇ ଦିନିଆ ଓମାନ ଗସ୍ତ ସମୟରେ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଏହି ସମ୍ମାନକୁ ମିଶାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଦେଶୀ ରାଷ୍ଟ୍ର ତରଫରୁ ୨୯ ସମ୍ମାନ ମିଳିଲାଣି। ନିକଟରେ ଇଥିଓପିଆ ଯାଇଥିବା ବେଳେ ସେଠାକାର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ ଅଫ୍ ଇଥିଓପିଆରେ ସମ୍ମାନିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଡିସ୍ ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଇଥିଓପିଆର ସର୍ବୋଚ୍ଚ ପୁରସ୍କାର, “ଇଥିଓପିଆର ମହାନ ସମ୍ମାନ ନିଶାନ” ପ୍ରଦାନ କରାଯାଇଥିଲା, ଯାହା ଭାରତ-ଇଥିଓପିଆ ସହଭାଗୀତାକୁ ସୁଦୃଢ଼ କରିବାରେ ତାଙ୍କର ଅସାଧାରଣ ଅବଦାନ ଏବଂ ଜଣେ ବିଶ୍ୱ ରାଜନେତା ଭାବରେ ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱକୁ ସ୍ୱୀକୃତି ପ୍ରଦାନ କରିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର୍ଡାନ ଏବଂ ଇଥିଓପିଆ ଗସ୍ତ ସାରି ଏବେ ଓମାନ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଦିନ ଓମାନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।