ଓଲଟିଲା ପିକନିକ ବସ

ଜଣେ ମୃତ, ୧୭ ଆହତ

ପାତ୍ରପୁର, ୨୧/୧୨:ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ବୁରାତାଲ ନିକଟରେ ଏକ ପିକନିକ ବସ ଓଲଟି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୧୭ ଜଣ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ବ୍ରହ୍ମପୁର ଶ୍ରୀରାମ ନଗର ଅଞ୍ଚଳର ରତନା ବିଷୋୟୀ (୪୮) ବୋଲି ଜଣାପଡିଛି।

ସେହିଭଳି ଆହତ ମାନଙ୍କ ମଧ୍ୟରେ ଜିତେନ୍ଦ୍ର ଦାସ, ଗୋପାଳ ସେଠି, ମନୋଜ କୁମାର ସାହୁ, ଶିବ ପ୍ରସାଦ ପ୍ରଧାନ, ଶୁଭମ୍ କୁମାର ସାହୁ, କେ. ଗଣେଶ ରେଡ୍ଡୀ, ହିମାଂଶୁ ସେଠୀ, ସାଗର ଦାସ, କୈଳାସ ଦାସ, ଡି. ଦୁର୍ଯ୍ୟୋଧନ ପ୍ରମୁଖଙ୍କ ସମେତ ୧୭ ଅଛନ୍ତି। ୩ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ବିଦ୍ୟାଳୟର ବସରେ ତକ୍ଷଶିଳା ବିଦ୍ୟାଳୟର କର୍ମଚାରୀ, ଏମଆରଏଫ୍ ଓ ରୟାଲ ଏନଫିଲ୍ଡର କର୍ମଚାରୀମାନଙ୍କୁ ନେଇ ବଣଭୋଜି କରିବାକୁ ଯାଇଥିବା ବେଳେ ଫେରିବା ସମୟରେ ବସର ବ୍ରେକ ଫେଲ ହେବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକେ, ଜରଡ଼ା ଥାନା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବାହିନୀର ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍କୁଲ ବସରେ ବ୍ୟବସାୟିକ ଢାଞ୍ଚାରେ ବଣଭୋଜି କରିବାକୁ ଯାଇଥିବା ବେଳେ ବୁଦ୍ଧିଜୀବୀ ମହଲରେ କଡ଼ା ସମାଲୋଚନା କରାଯାଇଛି।