କଳିଙ୍ଗ ଷ୍ଟାଡ଼ିୟମରେ ରାଜ୍ୟ ଯୁବ ମହୋତ୍ସବ-୨୦୨୫ ଉଦ୍‌ଯାପିତ

ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଯୋଗୀ ପୁରସ୍କୃତ

ଭୁବନେଶ୍ୱର, ୨୬/୧୨: ଓଡ଼ିଶାର ଯୁବପିଢ଼ିଙ୍କ ପ୍ରତିଭା ଓ ଉତ୍ସାହର ପ୍ରତୀକ ସାଜିଥିବା ‘ରାଜ୍ୟ ଯୁବ ମହୋତ୍ସବ-୨୦୨୫’ ଆଜି କଳିଙ୍ଗ ଷ୍ଟାଡିୟମଠାରେ ସଫଳତାର ସହ ସମାପ୍ତ ହୋଇଛି। ଗତ ୨୪ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ତିନି ଦିନିଆ ମହୋତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବ ପ୍ରତିଭାମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟ ଯୁବ ମହୋତ୍ସବର ବିଜୟୀ ପ୍ରତିଭାମାନେ ଆଗାମୀ ଦିନରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା “ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ” ରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ।

ମିଳିଥିବା ସୂଚନା ଅନୁଯାୟୀ କବିତା ଲିଖନରେ ୩ଜଣ, ବିଜ୍ଞାନ ମେଳାରେ ୩ ଟି ଦଳ, ବକ୍ତୃତାରେ ୩ ଜଣ, ଗଳ୍ପ ଲିଖନରେ ୩ଜଣ, ଚିତ୍ରାଙ୍କନରେ ୩ଜଣ ଏବଂ ଯୁବ ପ୍ରତିଭା ବିଜୟୀ ଭାବେ ଚୟନିତ ହୋଇଛନ୍ତି। ଲୋକସଂଗୀତ ପାଇଁ ୩ଟି ଏବଂ ଲୋକନୃତ୍ୟ ପାଇଁ ୩ଟି ସାଂସ୍କୃତିକ ଦଳକୁ ଚୟନିତ କରାଯାଇଛି।

ଆଜିର ଉଦ୍‌ଯାପନୀ ସମାରୋହରେ ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, “ଆଜିର ଯୁବପିଢ଼ି ହିଁ ଆଗାମୀ କାଲିର ଭବିଷ୍ୟତ। ଯୁବପିଢ଼ି ହେଉଛନ୍ତି ବିକଶିତ ଓଡ଼ିଶା ନିର୍ମାଣର ମୂଳଦୁଆ। ରାଜ୍ୟ ଯୁବ ମହୋତ୍ସବର କୃତୀ ପ୍ରତିଭାମାନେ ନିଶ୍ଚିତ ରୂପେ ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ମୁଁ ଆଶା କରୁଛି।”

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବକମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ରାଜ୍ୟ ଯୁବ ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ମତପ୍ରକାଶ କରିଥିଲେ।

ଆଜିର ଉଦଯାପନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, କ୍ରୀଡ଼ା ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ଏବଂ ଶ୍ରୀ ଅଶୋକ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ରାଜ୍ୟ ଯୁବ ମହୋତ୍ସବରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।