ଭାରତରେ ଓସମାନ ହାଦିଙ୍କ ହତ୍ୟାକାରୀ!

‘ମେଘାଳୟ ସୀମା ଦେଇ ଦେଶରେ ପ୍ରବେଶ କରିଛନ୍ତି’

ଢାକା, ୨୮/୧୨: ବାଂଲାଦେଶୀ ରାଜନୈତିକ କର୍ମୀ ଓସମାନ ହାଦିଙ୍କ ହତ୍ୟାକାଣ୍ଡର ଦୁଇ ପ୍ରମୁଖ ସନ୍ଦିଗ୍ଧ ବ୍ୟକ୍ତି ଭାରତରେ ଥିବା ବାଂଲାଦେଶର ପ୍ରମୁଖ ଖବରକାଗଜ ଦି ଡେଲି ଷ୍ଟାରରେ ପ୍ରକାଶ ପାଇଛି। ଓସମାନଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ମେଘାଳୟ ସୀମା ଦେଇ ଭାରତ ପଳାଇ ଯାଇଥିଲେ ବୋଲି ଢାକା ମେଟ୍ରୋପଲିଟାନ୍ ପୋଲିସ କହିଛି।

ଏକ ପ୍ରେସ ବ୍ରିଫିଂକୁ ସମ୍ବୋଧିତ କରି ଅତିରିକ୍ତ କମିଶନର ଏସଏନ ନଜରୁଲ ଇସଲାମ କହିଛନ୍ତି ଯେ “ସନ୍ଦିଗ୍ଧ ଫୈସଲ କରିମ ମାସୁଦ ଏବଂ ଆଲମଗିର ଶେଖ୍ ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ମୈମନସିଂର ହାଲୁଆଘାଟ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ। ସୀମା ପାର ହେବା ପରେ, ପ୍ରଥମେ ସେମାନଙ୍କୁ ପୂର୍ତି ନାମକ ଜଣେ ବ୍ୟକ୍ତି ସ୍ୱାଗତ କରିଥିଲେ। ପରେ, ସାମି ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ସେମାନଙ୍କୁ ମେଘାଳୟର ତୁରା ସହରକୁ ନେଇଥିଲେ। ପୋଲିସକୁ ସୂତ୍ରରୁ ସୂଚନା ମିଳିଛି ଯେ ସନ୍ଦିଗ୍ଧଙ୍କୁ ସହାୟତା କରିଥିବା ଦୁଇ ବ୍ୟକ୍ତିଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି।

ଆମେ ସେମାନଙ୍କ ଗିରଫଦାରୀ ଏବଂ ପ୍ରତ୍ୟର୍ପଣ ସୁନିଶ୍ଚିତ କରିବା ପାଇଁ ଉଭୟ ଆନୁଷ୍ଠାନିକ ଏବଂ ଅନୌପଚାରିକ ମାଧ୍ୟମରେ ଭାରତୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ବଜାୟ ରଖୁଛୁ,” ସେ କହିଛନ୍ତି।

ସୂଚନାଯୋଗ୍ୟ, ଓସମାନ ହାଦି ଜଣେ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ ଥିଲେ। ସେ ଭାରତ ଏବଂ ଆୱାମୀ ଲିଗର ଜଣେ କଠୋର ସମାଲୋଚକ ଥିଲେ। ସେ ଗତ ବର୍ଷର ହିଂସାତ୍ମକ ଛାତ୍ର-ନେତୃତ୍ୱାଧୀନ ଆନ୍ଦୋଳନର ଲିଡର ଥିଲେ। ଜୁଲାଇ ବିଦ୍ରୋହ ପରେ, ହାଦି ଇନକିଲାବ ମଞ୍ଚ ନାମକ ଏକ ରାଜନୈତିକ ସଂଗଠନ ଆରମ୍ଭ କରିଥିଲେ ଏବଂ ଫେବୃଆରୀରେ ହେବାକୁ ଥିବା ସଂସଦୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିଲେ।

ଡିସେମ୍ବର ୧୨ ତାରିଖରେ ଢାକାରେ ମୁଖାପିନ୍ଧା ବନ୍ଧୁକଧାରୀମାନେ ହାଦିଙ୍କ ମୁଣ୍ଡରେ ଗୁଳି ଚଳାଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିଲା, ଯେଉଁଠାରେ ତାଙ୍କର ଛଅ ଦିନ ପରେ ମୃତ୍ୟୁ ହୋଇଥିଲା।

ତାଙ୍କ ହତ୍ୟା ପରେ ଢାକା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ହିଂସା ସୃଷ୍ଟି ହୋଇଥିଲା। ଏହି ହିଂସାକାଣ୍ଡରେ ପ୍ରସାରିତ ଖବରକାଗଜ ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାରର କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଲୋକମାନେ ନିଆଁ ଲଗାଇ ଦେଇଥିଲେ। ଏଥି ସହ ଏକାଧିକ ହିନ୍ଦୁମାନଙ୍କୁ ମଧ୍ୟ ପିଟି ପିଟି ହତ୍ୟା କରାଯାଇଥିଲା।