କଟକ, ୦୪/୦୧: ଲାଞ୍ଚ ନେବା ବେଳେ ଧରାପଡ଼ିଲେ କଟକ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (CRRI) ଥାନା ଆଇଆଇସି। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ରାଜମହଲ ଛକରୁ ବିଜୟ ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ। ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଠାରୁ ବ୍ୟବସାୟ ସୂଚାରୁ ରୁପେ ଚଳାଇବା ପାଇଁ ଲାଞ୍ଚ ନେବା ବେଳେ ଗିରଫ ହେଲେ ଆଇଆଇସି।
ଏହି ଘଟଣା ପରେ ଶ୍ରୀ ବାରିକଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସହ ଜଡ଼ିତ ପୁଲିସ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ପୋଲିସ। ଭୁବନେଶ୍ୱର ୟୁନିଟ୍–୧ରେ ଅବସ୍ଥିତ ଶ୍ରୀ ବାରିକଙ୍କ ସରକାରୀ ବାସଭବନରେ ଚଢ଼ାଉ ସମୟରେ ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ସହ ସୁନା ଗହଣା ଜବତ କରାଯାଇଛି। ଲାଞ୍ଚ ନେବା ଓ ଜବତ ହୋଇଥିବା ଟଙ୍କା ସମ୍ପର୍କରେ ଶ୍ରୀ ବାରିକଙ୍କୁ ପଚରାଉଚରା କରାଯାଉଛି। ଘଟଣାର ତଦନ୍ତ ଜାରି ରହିଛି।