କ୍ଯାଣ୍ଟର – ଭ୍ୟାନ ମୁହାଁମୁହିଁ ଧକ୍କା

୩୦ ଆହତଙ୍କୁ ମେଡିକାଲରେ ଭର୍ତ୍ତି

ଦିଗପହଣ୍ଡି, ୦୪/୦୧: ରବିବାର ପୂର୍ବାହ୍ନ ସମୟରେ ଦିଗପହଣ୍ଡି – ଚିକିଟି ରାସ୍ତା କଇଠଡା ପଞ୍ଚାୟତର ଝାଟିପିଟିଆ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ କ୍ଯାଣ୍ଟର ସହ ପିକ୍ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଦୁର୍ଘଟଣା ଏତେ ଶକ୍ତ ରହିଥିଲା ଯେ ଭ୍ୟାନ ଚାଳକ ସମେତ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଖବରନୁଯାୟୀ , ସକାଳ ୧୦ଟା ସମୟରେ କ୍ଯାଣ୍ଟର ( ଓ ଆର୍ ୦୭ ଜେ ୩୩୩୮)ଟି ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଧରି ଚିକିଟି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଭ୍ୟାନ ( ଓ ଡି ୧୭ ଏ ଏଫ୍ ୮୨୦୭) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଉଦ୍ଧାର କରାଯାଇଥିଲା ।

ଖବରପାଇ ଦୁର୍ଘଟଣା ସ୍ଥଳରେ ଦୁଇଟି ଦମକଳ ବାହିନୀ ଓ ଆମ୍ବୁଲାନ୍ସ ନିୟୋଜିତ ରହି ଆହତଙ୍କୁ ଦିଗପହଣ୍ଡି ଓ ବମକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ହେତୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି ।