ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି

ସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ

ପୁରୀ, ୦୬/୦୧: ଆସନ୍ତାକାଲି ଶ୍ରୀମନ୍ଦିରରେ ୫ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

ଶ୍ରୀବିଗ୍ରହମାନଙ୍କ ସ୍ବତନ୍ତ୍ର ରୀତିନୀତି ବନକଲାଗି ନୀତି ପାଇଁ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ପରେ ଦର୍ଶନ ବନ୍ଦ ରହିବ।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମ୍ପାଦନ ବେଳେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ବନକ ଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ।

ପରମ୍ପରା ଅନୁଯାୟୀ, ଦ୍ବିପ୍ରହର ଧୂପ ଶେଷ ହେବା ପରେ ମନ୍ଦିରର ସମସ୍ତ ଦ୍ବାର ବନ୍ଦ କରାଯାଇ ଏହି ନୀତି ସମ୍ପନ୍ନ କରାଯାଏ। ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କ ଶ୍ରୀମୁଖସିଂହାର କରିଥାନ୍ତି। ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ। ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ଶ୍ରୀମନ୍ଦିର ଭାଷାରେ ବନକଲାଗି କୁହାଯାଏ।