ରାଉରକେଲା ବିମାନ ଦୁର୍ଘଟଣା: ଇଞ୍ଜିନରେ ଥିଲା ତ୍ରୁଟି

ପାଇଲଟ କରିଥିଲେ ଫୋର୍ସ ଲ୍ୟାଣ୍ଡିଂ!

ଆବଶ୍ୟକ ପଡ଼ିଲେ ଏୟାରଲିଫ୍ଟ ହେବେ ଆହତ

ରାଉରକେଲା, ୧୦/୦୧: ରାଉରକେଲା ବିମାନ ଦୁର୍ଘଟଣାରେ ତଦନ୍ତ ପାଇଁ ସନ୍ଧ୍ୟା ସୁଦ୍ଧା ପହଞ୍ଚିବ DGCA ଟିମ୍‌। AAIB ଟିମ୍‌ କାଲି ସୁଦ୍ଧା ରାଉରକେଲା ପହଞ୍ଚିବ। ସମନ୍ବୟ ପାଇଁ ଭୁବନେଶ୍ବରରୁ ୨ ବେସାମରିକ ବିମାନ ଚଳାଚଳ କର୍ମଚାରୀ ଯାଇଛନ୍ତି। ଘଟଣାକୁ ତଦାରଖ କରୁଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ। କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା ସହ ମୋବାଇଲ୍‌ ନଂ ୯୮୬୧୦୯୬୩୭୧ ଜାରି କରାଯାଇଛି।

ବିମାନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଯଦି ଅଧିକ ଚିକିତ୍ସା ଦରକାର ପଡ଼େ, ଏୟାର ଲିଫ୍ଟ କରାଯାଇପାରେ ବୋଲି କହିଛନ୍ତି ରାଉରକେଲା ଏସ୍‌ପି। ଜେପି ହସ୍ପିଟାଲ୍‌ ଓ RGHରେ ୬ ଆହତଙ୍କୁ ଭର୍ତ୍ତି କରାଯାଇଛି।

ସେପଟେ ଦୁର୍ଘଟଣା ନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଏହା କ୍ରାସ୍‌ ଲ୍ୟାଣ୍ଡିଂ ନୁହେଁ ଫୋର୍ସ ଲ୍ୟାଣ୍ଡିଂ। ଇଞ୍ଜିନ୍‌ରେ ତ୍ରୁଟି ଥାଇପାରେ, ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ କରାଯାଇଥିଲା। ଅବତରଣର ୧୫ ମିନିଟ୍‌ ପୂର୍ବରୁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି।

ରାଉରକେଲା ରଘୁନାଥପାଲିରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।‌ ଜଲଦା ଏ ବ୍ଲକରେ ଛୋଟ ଚାର୍ଟର ବିମାନର ଦୁର୍ଘଟଣା ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ବିମାନରେ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରିଉ ସଦସ୍ୟ ଥିଲେ। ଯାତ୍ରୀ ମାନେ ହେଲେ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ। ୨ କ୍ରିଉ ସଦସ୍ୟ- କ୍ୟାପ୍‌ଟେନ ନବୀନ କାଡ଼ଙ୍ଗା, କ୍ୟାପ୍‌ଟେନ ତରୁଣ ଶ୍ରୀବାସ୍ତବ। ୯ ସିଟର୍ ଥିଲା ବିମାନଟି ଭୁବନେଶ୍ବରରୁ ରାଉରକେଲା ଯାଉଥିଲା।