ବିଜେଡ଼ି ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ର, ମିଡ୍ ଡେ ଅପରେସନ ଫେଲ୍: ଲେନିନ

ତଥ୍ୟ ସହ ଅଭିଯୋଗ ରଖନ୍ତୁ: ଖୋଲା ଚ୍ୟାଲେଞ୍ଜ କଲେ ଅରବିନ୍ଦ

ଭୁବନେଶ୍ୱର, ୧୭/୦୧: ବିଜେଡିରୁ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସପେଣ୍ଡ ହେବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଲେନିନ୍ ମହାନ୍ତି। ଲେନିନ୍ ମହାନ୍ତି କହିଛନ୍ତି, “ମିଡ୍‌ ନାଇଟ୍‌ ଅପରେସନ ଫେଲ୍‌ ହୋଇଥିଲା, ମିଡ୍‌ ଡେ’ ଅପରେସନ ବି ଫେଲ୍‌। ମିଡ୍‌ ଇଭିନିଙ୍ଗ ଅପରେସନ୍‌ ବି ଫେଲ୍‌ ହେବ। ଦଳକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ ଅଂଶ ଥିଲେ। ଗତ କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ। କିଛି ଲାଗିଛନ୍ତି ଦଳକୁ ଦୁର୍ବଳ କରିବାକୁ, ବିଜୟ ମହାପାତ୍ର ବ୍ୟାକଅପ୍‌ ଦେଉଥିଲେ। ଗୋଟେ ପ୍ରଶ୍ନ ଉଠୁଛି ଯେ ଅନ୍ୟମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି। ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା କହିନାହାନ୍ତି ଦଳ ଭାଙ୍ଗୁ ବୋଲି। କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅନ୍ୟପଟେ ଲେନିନ୍ ଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅରବିନ୍ଦ ମହାପାତ୍ର। ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ କରି ଅରବିନ୍ଦ ମହାପାତ୍ର କହିଛନ୍ତି, “ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ। ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ। କାହା ସହ କେଉଁଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ।”

ସଂଗଠିତ କରିବା ଅଭିଯୋଗ ନେଇ କହିଲେ ମୁଁ ମାତ୍ର ଦେଢ଼ ବର୍ଷର ବିଧାୟକ। ଅଭିଯୋଗ ଦଳ ଲଗାଇଛି, ଦଳ ପ୍ରମାଣିତ କରିବା ଦରକାର। ସିଙ୍ଗିଲ ୱାର୍ଡ କହି ଖସିଯିବା ଅନୁଚିତ, ପ୍ରମାଣିତ କରନ୍ତୁ। ବାପା ସ୍ବତନ୍ତ୍ର, ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣନ୍ତୁ ନାହିଁ। ସନାତନ ମହାକୁଡ଼ ବରିଷ୍ଠ ନେତା, ବିଧାନସଭାରେ କେବଳ ଦେଖା ହୋଇଛି। ଲବିରେ ମଧ୍ୟ ସନାତନ ମହାକୁଡ଼ଙ୍କ ସହ ମୋ ସାକ୍ଷାତ ହୋଇନି।

ସେହିପରି ଅନ୍ୟ ଦଳକୁ ଯିବା ବିଷୟରେ କହିଛନ୍ତି, “ଅଲଗା ଦଳ କଥା ଭାବିନି, ୨୦୨୯ ପର୍ଯ୍ୟନ୍ତ ପାଟକୁରା ବିଧାୟକ ରହିବି। ପାଟକୁରା ବିଧାୟକ ପଦରୁ କେହି ହଟାଇ ପାରିବେନି, ବିକାଶ କରିବି।”