ଭାରତକୁ ‘ଗାଜା ଶାନ୍ତି ବୋର୍ଡ’ ପାଇଁ ଟ୍ରମ୍ପଙ୍କ ନିମନ୍ତ୍ରଣ

ପଦକ୍ଷେପକୁ ଏକାଧିକ ରାଷ୍ଟ୍ରର ସ୍ୱାଗତ

ନୂଆଦିଲ୍ଲୀ, ୧୯/୦୧: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଅସ୍ତ୍ରବିରତି ରହିଥିବା ବେଳେ ଅନେକ ସମୟରେ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆତଙ୍କବାଦୀ ନିପାତ କରିବା କହି ଆକ୍ରମଣ କରୁଛି। ଗାଜାରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରଠାରୁ ୪୪୭ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି।

ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାରେ ଯୁଦ୍ଧ ଶେଷ ସହ ତାହାର ପୁନଃନିର୍ମାଣ ପାଇଁ ପଦକ୍ଷେପ ସ୍ୱରୂପ ନ୍ୟାସନାଲ କମିଟି ଫର୍ ଦ ଆଡ୍‌ ମିନିଷ୍ଟ୍ରେସନ ଅଫ୍ ଗାଜା(ଏନ୍‌ସିଏଜି) ଗଠନ କରିଛନ୍ତି। ଏହି କମିଟିର ତଦାରଖ, ପାଣ୍ଠି ସଂଗ୍ରହ ଭଳି କାମ ପାଇଁ ଏକ ଶାନ୍ତି ବୋର୍ଡ ‘ବୋର୍ଡ ଅଫ୍ ପିସ୍’ ଗଠନ ହୋଇଛି।

ଟ୍ରମ୍ପ୍ ଏହି ବୋର୍ଡରେ ସାମିଲ ହେବା ପାଇଁ ବିଭିନ୍ନ ଦେଶକୁ ନିମନ୍ତ୍ରଣ ଦେଇଛନ୍ତି। ଭାରତକୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି। ଏଥିସହ ପାକିସ୍ତାନକୁ ମଧ୍ଯ ଡାକିଥିବା ପାକର ଶାହବାଜ ଶରିଫଙ୍କ ସରକାର ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ଅନେକ ରାଷ୍ଟ୍ର ସ୍ୱାଗତ କରିଛନ୍ତି। ଟ୍ରମ୍ପ ନିଜେ ଏହି ବୋର୍ଡରେ ଅଧ୍ୟକ୍ଷତା କରିବେ।

ଭାରତକୁ ପଠାଇଥିବା ଚିଠିରେ ଟ୍ରମ୍ପ କହିଛନ୍ତି ଯେ, ଏହା ତାଙ୍କ ପାଇଁ ବଡ଼ ସମ୍ମାନର ବିଷୟ ହେବ ଯଦି ମୋଦି ଏହି ବୋର୍ଡରେ ଯୋଗ ଦିଅନ୍ତି, ଯାହା ମଧ୍ୟପ୍ରାଚ୍ୟରେ (ବିଶେଷକରି ଗାଜାରେ) ସ୍ଥାୟୀ ଶାନ୍ତି ସ୍ଥାପନ କରିବା ଏବଂ ବିଶ୍ୱବ୍ୟାପୀ ସଂଘର୍ଷ ସମାଧାନ ପାଇଁ ଏକ ନୂତନ ପଦ୍ଧତି ଗ୍ରହଣ କରିବ।

‘ବୋର୍ଡ଼ ଅଫ ପିସ୍’ ହେଉଛି ଇସ୍ରାଏଲ ଓ ହମାସ ମଧ୍ୟରେ ୨୦୨୫ ଅକ୍ଟୋବରରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟର ଏକ ଅଂଶ। ଏହି ବୋର୍ଡ ଗାଜାରେ ପୁନର୍ନିର୍ମାଣ, ସ୍ଥିରତା, ପ୍ରଶାସନ ଓ ଦୀର୍ଘକାଳୀନ ଶାନ୍ତି ପାଇଁ କାମ କରିବ।

ଟ୍ରମ୍ପ ନିଜେ ଏହାର ଅଧ୍ୟକ୍ଷ ହେବେ, ଏବଂ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଓ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ମଧ୍ୟ ରହିବେ।