ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କୁ ଅପମାନ ଘଟଣା

ସାହିତ୍ୟିକ ମାନଙ୍କୁ ଅପମାନ କରିବାରୁ କ୍ଷାନ୍ତ ରୁହନ୍ତୁ
ଓଡ଼ିଶା ସରକାର: ବିଜେଡି

ସାହିତ୍ୟିକ ଶ୍ରୀ କେଦାର ମିଶ୍ରଙ୍କୁ ନିମନ୍ତ୍ରଣ କରି ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ

ଭୁବନେଶ୍ୱର, ୨୦/୦୧: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର ତରଫରୁ ସନ୍ଥକବି ଭୀମ ଭୋଇଙ୍କ ଉପରେ ବକ୍ତୃତା ପ୍ରଦାନ କରିବା ଲାଗି ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶ୍ରୀ କେଦାର ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟର ଅତିଥି ଭାବରେ ବନାରସରେ ପହଞ୍ଚିବା ପରେ ଓଡ଼ିଶା ସରକାରଙ୍କ ଚାପରେ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ଶ୍ରୀ ମିଶ୍ରଙ୍କୁ ଜଣାଇ ଦିଆଯାଇଥିଲା । ସାହିତ୍ୟିକଙ୍କୁ ଏଭଳି ଅପମାନର ଦୃଢ଼ ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଏକ ପ୍ରେସ୍ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଦ୍ୱାରା ସନ୍ଥକବି ଭୀମ ଭୋଇଙ୍କ ଉପରେ ବକ୍ତୃତା ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶ୍ରୀ କେଦାର ମିଶ୍ରଙ୍କୁ ନିମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମ ବହୁ ପୂର୍ବରୁ ସ୍ଥିରୀକୃତ ଥିଲା । ତଦନୁଯାୟୀ ଶ୍ରୀ ମିଶ୍ର ଅତିଥି ଭାବେ ବନାରସରେ ପହଞ୍ଚିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଆୟୋଜକ ମାନେ ଓଡ଼ିଶା ସରକାର ଏହି କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ବକ୍ତୃତା ଚାହୁଁନାହାନ୍ତି କହି ନିଜର ଅସହାୟତା ପ୍ରକାଶ କରିବା ସହ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସୂଚନା ଦେଇଥିଲେ । ଉତ୍ତରପ୍ରଦେଶର ଶାସକ ବିଜେପି ନେତାମାନଙ୍କ ମାଧ୍ୟମରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ଓଡ଼ିଶାର ବିଜେପି ସରକାର ଚାପ ପ୍ରୟୋଗ କରିଥିବା ସୂଚନା ମିଳିବା ପରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶ୍ରୀ କେଦାର ମିଶ୍ର ସେଠାରୁ ଫେରିଆସିଥିଲେ । ସାହିତ୍ୟ କ୍ଷେତ୍ରରେ ଡବଲ ଇଞ୍ଜିନ ସରକାରଙ୍କ ଏହିଭଳି ରାଜନୈତିକ ହସ୍ତକ୍ଷେପକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି ।

ଡ଼ ମହାନ୍ତି କହିଥିଲେ ଯେ, ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ହୀନ ମନ୍ୟତା ପାଇଁ, ଭାରତର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଏହି ଅପମାନ କେବଳ ଓଡ଼ିଆ ସାହିତ୍ୟିକଙ୍କ ପ୍ରତି ଅପମାନ ନୁହଁ, ଏହା ସମଗ୍ର ଓଡ଼ିଆ ସାହିତ୍ୟ ଜଗତ ଓ ଓଡ଼ିଶାବାସୀଙ୍କ ପ୍ରତି ଅପମାନ । ବିଜେପି ସରକାର ସବୁବେଳେ ପୂଜ୍ୟପୂଜାର ଭାଷଣ ଦେଉଥିଲା ବେଳେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ବିଜେପି ଦଳର ମୁଖା ଖୋଲି ଦେଇଛି । ଏଭଳି ହୀନ ମାନସିକତାରୁ ଊଦ୍ଧ୍ୱର୍କୁ ଉଠି ରାଜ୍ୟ ବିଜେପି ସରକାର ସାହିତ୍ୟିକମାନଙ୍କ ପ୍ରତି ଅପମାନ କରିବାରୁ କ୍ଷାନ୍ତ ରୁହନ୍ତୁ ।