ଜଙ୍ଗଲ ଜମିରେ ବେଆଇନ ଭାବେ ଭାରୀଯାନ ଚଳାଚଳ

ସଂସ୍ଥା ବିରୋଧରେ ଏତଲା ଦେଲେ ଶ୍ରିପୁରା ସରପଞ୍ଚ

ଝାରସୁଗୁଡା, ୨୧/୦୧(ଦର୍ଶନ ନ୍ୟୁଜ): ଝାରସୁଗୁଡା ଜିଲ୍ଲା ଶ୍ରିପୁରା ଗ୍ରାମରେ ଥିବା ଜଙ୍ଗଲ ଜମିକୁ କିଛି ପ୍ରାଇଭେଟ ସଂସ୍ଥା ବେଆଇନ ରାସ୍ତା ଭାବରେ ବ୍ୟବହାର କରି ଏହା ଉପରେ ଭାରୀଯାନ ଚଳାଚଳ କରୁଥିବା ଦ୍ୱାରା ସୃଷ୍ଟି କରାଯାଇଥିବା ନୂତନ ଜଙ୍ଗଲର କ୍ଷତି ହୋଇଥିବାରୁ ସମ୍ପୃକ୍ତ ପ୍ରାଇଭେଟ ସଂସ୍ଥା ଗୁଡିକ ବିରୋଧରେ ଶ୍ରିପୁରା ସରପଞ୍ଚ ବୁଧୁବାର ପୂର୍ବାହ୍ନରେ ବଡ଼ମାଳ ଥାନାରେ ଏତଲା ଦେଇଛନ୍ତି । ଶ୍ରିପୁରା ସରପଞ୍ଚଙ୍କ ଏତଲା ଅନୁଯାୟୀ ଶ୍ରିପୁରା ଗ୍ରାମର ଜଙ୍ଗଲ ଜମିରେ ଏକ ପେଡ ମା କେ ନାମ ଯୋଜନାରେ ଚାରା ରୋପଣ କରାଯାଇଛି । ଯେଉଁ ଜଙ୍ଗଲ ଜମିରେ ଚାରା ରୋପଣ କରାଯାଇଛି, ଉକ୍ତ ଜଙ୍ଗଲ ଜମି ଉପରେ ବାଲାଜୀ ଏଞ୍ଜିକ୍ସନ ଲିମିଟେଡ଼, କେଇସି ଇନ୍ଣ୍ଟରନେସନାଲ ଲିମିଟେଡ଼, ଥରମୋସିଷ୍ଟମ ପ୍ରାଇଭେଟ ଲିମିଟେଡ଼, ଶର୍ମା ଫେବ୍ରିକେସନ ପ୍ରାଇଭେଟ ଲିମିଟେଡ଼, ଶର୍ମା ଏଣ୍ଡ ଆସୋସିଏଟ ପ୍ରାଇଭେଟ ଲିମିଟେଡ଼, ରାଣ୍ଡିନ ଇଞ୍ଜିନିଅରିଂ ଭଳି ପ୍ରାଇଭେଟ ସଂସ୍ଥା ଗୁଡିକର ଭାରୀଯାନ ଚଳାଚଳ କରି ସୃଷ୍ଟି କରାଯାଇଥିବା ନୂତନ ଜଙ୍ଗଲର ଚାରା ଓ ବୃକ୍ଷ ଉପରେ ବହୁତ କ୍ଷୟ କ୍ଷତି ପହଞ୍ଚାଉଛନ୍ତି । ଶ୍ରିପୁରା ଗ୍ରାମବାସୀ କେନ୍ଦ୍ର ସରକାରଙ୍କ ଏକ ପେଡ ମା କେ ନାମରେ ଏତେ ପରିଶ୍ରମ କରି ୧ ହଜାରରୁ ଉର୍ଦ୍ଧ ବୃକ୍ଷ ରୋପଣ କରି ତାର ଯତ୍ନ ଏବଂ ସୁରକ୍ଷା କରୁଥିବା ବେଳେ ଏହି ପ୍ରାଇଭେଟ ସଂସ୍ଥା ଗୁଡିକ ଏହି ଜଙ୍ଗଲ ଜମି ଅଞ୍ଚଳରେ ବେଆଇନ ପାର୍କିଂ କରିବା ସହିତ ଏହି ପଲ୍ଲବୀତ ହେଉଥିବା ନୂତନ ଜଙ୍ଗଲ ଉପରେ ବହୁ କ୍ଷତି ପହଞ୍ଚାଉଛନ୍ତି । ଏଣୁ ଉପରୋକ୍ତ କମ୍ପାନୀ ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରିପୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଏକ ଲିଖିତ ଏତଲା ବଡ଼ମାଳ ଆଇଆଇସି ଙ୍କୁ ପ୍ରଦାନ କରିଛନ୍ତି ।