ଜଙ୍ଗଲ ଜମିରେ କରାଯାଇଥିବା ଚାରା ରୋପଣର ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷା ପାଇଁ ପୋଲିସର ସହାୟତା ଲୋଡିଲେ ଶ୍ରୀପୁରା ଗ୍ରାମବାସୀ
ଆଇଆଇସିଙ୍କୁ ଭେଟି ଦାବିପତ୍ର ପ୍ରଦାନ
ଝାରସୁଗୁଡା, ୨୧/୦୧(ଦର୍ଶନ ନ୍ୟୁଜ): ଝାରସୁଗୁଡା ଜିଲ୍ଲା ସଦର ବ୍ଳକ ସ୍ଥିତ ଶ୍ରିପୁରା ଗ୍ରାମବାସୀ କେନ୍ଦ୍ର ସରକାରଙ୍କ ଜନମଙ୍ଗଳକାରୀ ଏକ ପେଡ ମା କେ ନାମ ଯୋଜନାରେ ଗ୍ରାମରେ ଥିବା ଜଙ୍ଗଲ ଜମିରେ ୧ ହଜାରରୁ ଉର୍ଦ୍ଧ ଚାରା ରୋପଣ କରିଥିଲେ । ଏହାର ଉପଯୁକ୍ତ ଯତ୍ନ ଓ ସୁରକ୍ଷା ପାଇଁ ସହାୟତା ପ୍ରଦାନ କରିବା ନିମନ୍ତେ ଗ୍ରାମର ଶତାଧିକ ମହିଳା ପୁରୁଷ ଓ ସ୍ଥାନୀୟ ଜନ ପ୍ରତିନିଧି ବଡ଼ମାଳ ଆଇଆଇସିଙ୍କୁ ବୁଧୁବାର ପୂର୍ବାହ୍ନରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରିପୁରା ଗ୍ରାମବାସୀ ବଡ଼ମାଳ ଆଇଆଇସିଙ୍କୁ ଦେଇଥିବା ଦାବିପତ୍ରରେ ଲେଖି ଜଣାଇଛନ୍ତି ଯେ ଗତ ବର୍ଷା ଋତୁରେ କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନା ଦ୍ୱାରା ଗ୍ରାମର ଜଙ୍ଗଲ ଜମିରେ ଏକ ହଜାରରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା । ଏହାର ସୁରକ୍ଷା ଏବଂ ଯତ୍ନ ପାଇଁ ଗତ କିଛି ଦିନ ହେବ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନ ଥିଲା । ଏଣୁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଙ୍କ ସଭାପତିତ୍ବରେ ଗତ ଜାନୁୟାରୀ ୧୫ ତାରିଖ ଦିନ ଗ୍ରାମସଭା କରି ଉକ୍ତ ଜଙ୍ଗଲ ଜମିରେ ରୋପଣ କରାଯାଇଥିବା ଚାରା ତଥା ବୃକ୍ଷ ଗୁଡିକର ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷା କରିବା, ଉକ୍ତ ଜଙ୍ଗଲ ଜମିରେ କୌଣସି ଯାନବାହାନ ପ୍ରବେଶ କରାଇ ନ ଦେବା ନେଇ ସର୍ବସମ୍ମତି କ୍ରମେ ଗ୍ରାମସଭାରେ ପ୍ରସ୍ତାବ ଗ୍ରହଣ କରିଛନ୍ତି । ଯାହାକି ଆସନ୍ତା ଫେବୃଆରୀ ୨ ତାରିଖ ଠାରୁ ଆରମ୍ଭ କରାଯିବ । ତେଣୁ ଗ୍ରାମବାସୀ ବଡ଼ମାଳ ଆଇଆଇସି ଙ୍କୁ ଅନୁରୋଧ କରିଛନ୍ତି ଯେ, ଏକ ପେଡ ମା କେ ନାମ ଯୋଜନାରେ ଲଗାଯାଇଥିବା ଚାରାର ଯତ୍ନ ଓ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ପୋଲିସ ଉପସ୍ଥିତ ରହି ବେଆଇନ ଯାନବାହାନ ପ୍ରବେଶ ତଥା ସୃଷ୍ଟି ହୋଇଥିବା ଚାରା ଉପରେ ଯେପରି କୌଣସି ପ୍ରଭାବ ନ ପଡିବ ସେଥିପାଇଁ ସୁରକ୍ଷା ଓ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବିପତ୍ରରେ ଗ୍ରାମବାସୀ ନିବେଦନ କରିଛନ୍ତି । ଏହି ଦାବିପତ୍ରର ଅବିକଳ ନକଳ ଝାରସୁଗୁଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବଡ଼ମାଳ ଆଇଆଇସି ଙ୍କ ଜରିଆରେ ପ୍ରଦାନ କରାଯାଇଛି । ବଡ଼ମାଳ ଆଇଆଇସି ପବିତ୍ର ଭୋଇ ଙ୍କୁ ଏହି ଦାବିପତ୍ର ଦେବା ସମୟରେ ଶ୍ରୀପୁରା ଗ୍ରାମର ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଭୋଇ, ବ୍ଳକ ଅଧକ୍ଷl ଚିତ୍ରାଣୀ ପଟେଲ, ସରପଞ୍ଚ ଯଶୋବନ୍ତୀ ପାଣ୍ଡେ, ବିରଞ୍ଚି ମାଝୀ, ରୀନା ବାଗ, ମିନତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।