କୁଟିଆ କନ୍ଧ ମାନଙ୍କ ଜୀବନୀ ଆଧାରିତ ଉପନ୍ୟାସ ‘ପାର୍ଶ୍ୱସ୍ରୋତ’ ଉନ୍ମୋଚିତ
ଜନଜାତି ମାନଙ୍କ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ତଥ୍ୟ ରହିଛି
ଭୁବନେଶ୍ୱର, ୨୮/୦୧: କୁଟିଆ କନ୍ଧ ମାନଙ୍କ ଜୀବନୀ ଆଧାରିତ ଉପନ୍ୟାସ “ପାର୍ଶ୍ୱସ୍ରୋତ” ଉନ୍ମୋଚିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଏହା ହେଉଛି ପ୍ରଥମ ଉପନ୍ୟାସ । ସ୍ଥାନୀୟ ବୁଦ୍ଧ ମନ୍ଦିର ଅଡିଟୋରିୟମରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଔପନ୍ୟାସିକା ସରୋଜିନୀ ସାହୁ, ସାହିତ୍ୟିକ ଅଜୟ ସ୍ୱାଇଁ, ପୁସ୍ତକର ପ୍ରକାଶକ ଆଦିତ୍ୟ ଭାରତ ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ସାମନ୍ତରାୟ, କଥାଶିଳ୍ପୀ ଚିରଶ୍ରୀ ଇନ୍ଦରସିଂ, ସାହିତ୍ୟପ୍ରେମୀ ଓ ସବୁ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
ଏହି ଉପନ୍ୟାସରେ କୁଟିଆ କନ୍ଧଙ୍କ ଜୀବନୀ ଓ ସଂସ୍କୃତି ଉପରେ ଏକ ସ୍ୱତନ୍ତ୍ର ଆଲେଖ୍ୟ ରହିଛି । ସେମାନଙ୍କ ଉଚ୍ଚ ପରମ୍ପରା, ପ୍ରଥା, ସେମାନଙ୍କ ଜୀବିକା ଉପାର୍ଜନକୁ ବିଭିନ୍ନ ପ୍ରାମାଣିକ ଉପସ୍ଥାପନା ମାଧ୍ୟମରେ ପାଠକ ମାନଙ୍କୁ ଶ୍ରୀ ଋତୁରାଜ ଭେଟି ଦେଇଛନ୍ତି । ବିରଳ ପ୍ରାୟ ଏହି ଜନଜାତିଙ୍କୁ ମୁଖ୍ୟସ୍ରୋତ ନୁହେଁ ବରଂ ନିଜସହ ଅର୍ଥାତ ନିଜ ପାର୍ଶ୍ୱରେ ନେଇ ଆଗକୁ ବଢେଇବାର ପ୍ରୟାସ ଏହି ପୁସ୍ତକରେ ଉଲ୍ଲେଖ ରହିଛି । ପ୍ରକୃତି ସହ ନିବିଡ଼ ଆତ୍ମିୟତା, ବିଶ୍ୱାସ ଓ ଆଧୁନିକ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବତାରଣା କରାଯାଇଛି । ଅନାଲୋଚିତ ଦିଗ ଉପରେ ଆଲୋଚନା ସହ ବିଭିନ୍ନ ଉପାଦେୟ ଚରିତ୍ର ମାଧ୍ୟମରେ ଏହି ଉପନ୍ୟାସ ଜୀବନ୍ତ ହୋଇ ଉଠିଛି । ଏହା ପାଠକ ମାନଙ୍କ ଆଦୃତି ସହ ଜନଜାତି ମାନଙ୍କ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ତଥ୍ୟ ରହିଛି ।
ପ୍ରଶାସନିକ କାର୍ଯ୍ୟରୁ ସମୟ ବାହାର କରି ଏହି ଅଞ୍ଚଳର ଜନଜାତି ମାନଙ୍କ ସହ ବିତିଥିବା ସମୟର ଅନୁଭବ ଓ ଅନୁଭୂତି ସମ୍ପର୍କରେ ଔପନାସିକ ଶ୍ରୀ ଋତୁରାଜ ଉଲ୍ଲେଖ କରିଛନ୍ତି ।