ମୁମ୍ବାଇ, ୨୯/୦୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଅଧ୍ୟକ୍ଷ ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର ଆଜି ସକାଳ ୧୧ଟାରେ ବାରାମତିରେ ରାଷ୍ଟ୍ରୀୟ ସମ୍ମାନ ସହିତ କରାଯିବ ।
ବୁଧବାର ସନ୍ଧ୍ୟାରେ ପାୱାରଙ୍କ ପାର୍ଥିବ ଶରୀରକୁ ପୁଣେ ଜିଲ୍ଲାର ବିଦ୍ୟା ପ୍ରତିଷ୍ଠାନ କ୍ୟାମ୍ପସକୁ ନିଆଯାଇଥିଲା, ଯେଉଁଠାରେ ହଜାର ହଜାର ଦଳୀୟ କର୍ମୀ ଏବଂ ସ୍ଥାନୀୟ ବାସିନ୍ଦା ତାଙ୍କର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକାଠି ହୋଇଥିଲେ।
ଆଜି ସକାଳ ୯ଟା ପର୍ଯ୍ୟନ୍ତ ମୃତଦେହକୁ କାଟେୱାଡି ବାସଭବନରେ ରଖାଯିବ। ଏହା ପରେ ଜିଡି ମାଡଗୁଲକର ଅଡିଟୋରିୟମରୁ ସକାଳ ୯ଟାରେ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହୋଇ ବିଦ୍ୟା ପ୍ରତିଷ୍ଠାନ ଭୂମି ଅଭିମୁଖେ ଯିବ, ସେଠାରେ ରାଷ୍ଟ୍ରୀୟ ସମ୍ମାନରେ ଶବଦାହ କରାଯିବ।
ପୂର୍ବରୁ, ପାୱାରଙ୍କ ମୃତଦେହକୁ ପାୱାର ପରିବାର ଦ୍ୱାରା ପରିଚାଳିତ ଶିକ୍ଷା ପ୍ରତିଷ୍ଠାନକୁ ଶୋଭାଯାତ୍ରାରେ ନିଆଯିବା ପୂର୍ବରୁ ବାରାମତୀର ଏକ ମେଡିକାଲ କଲେଜରେ ରଖାଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଭିନ୍ନ ରାଜନୈତିକ ଦଳର ଅନେକ ନେତା ଅନ୍ତିମ ସଂସ୍କାରରେ ଯୋଗଦେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଏନସିପି କର୍ମୀ ଏବଂ ସାଧାରଣ ଲୋକ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବାରାମତିରେ ପହଞ୍ଚିଛନ୍ତି।
ବୁଧବାର ସକାଳେ ବାରାମତୀ ବିମାନବନ୍ଦରରେ ଟେବୁଲଟପ୍ ରନୱେ କଡ଼ରୁ ମାତ୍ର ୨୦୦ ମିଟର ଦୂରରେ ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅଜିତ ପାୱାର (୬୬) ଏବଂ ଅନ୍ୟ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ‘ଦାଦା’ ନାମରେ ପରିଚିତ ଏହି ବରିଷ୍ଠ ନେତାଙ୍କ ଆକସ୍ମିକ ମୃତ୍ୟୁ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଶାସକ ମେଣ୍ଟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ପାୱାର ପରିବାର ଦ୍ୱାରା ପ୍ରତିଷ୍ଠିତ ବିଦ୍ୟା ପ୍ରତିଷ୍ଠାନ ଭୂମିରେ ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କ ସ୍ମୃତିରେ ବାରାମତିରେ ଏକ ସ୍ମାରକୀ ନିର୍ମାଣ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ରାଜ୍ୟରେ ଅଜିତଙ୍କ ବିୟୋଗରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ।
ଅନ୍ୟପକ୍ଷରେ, ଅଜିତ ପାୱାର ଏବଂ ଅନ୍ୟ ଚାରି ଜଣଙ୍କ ଜୀବନ ମୃତ୍ୟୁ ପରେ ବିମାନ ଦୁର୍ଘଟଣା ସମ୍ପର୍କରେ ପୋଲିସ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ (ଏଡିଆର୍) ପଞ୍ଜିକୃତ କରିଛି ଏବଂ ପରବର୍ତ୍ତୀ ପ୍ରକ୍ରିୟା ଜାରି ରହିଛି।