ନିର୍ବାଚନ କମିସନଙ୍କୁ ପଚାରିଥିବା ଅନେକ ପ୍ରଶ୍ନର ସ୍ପଷ୍ଟ ଉତ୍ତର ମିଳିନାହିଁ: ବିଜେଡି

ନିର୍ବାଚନର ୧୯ ମାସ ପରେ ମଧ୍ୟ ଫର୍ମ ୧୭ସି ୱେବସାଇଟରେ ଅପ୍ଲୋଡ୍ ହୋଇନାହିଁ

ଭୁବନେଶ୍ୱର, ୦୨/୦୨: ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଅନିୟମିତତାକୁ ନେଇ ବିଜୁ ଜନତା ଦଳ ତରଫରୁ ଦେଶର ନିର୍ବାଚନ କମିସନରଙ୍କୁ ଦୁଇ ଦୁଇ ଥର ଭେଟି ଲିଖିତ ଭାବରେ ପଚରା ଯାଇଥିବା ବିଭିନ୍ନ ଅସମାହିତ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ମିଳିପାରି ନାହିଁ ବୋଲି ବିଜେଡି ତରଫରୁ ପୁଣିଥରେ ଦୋହରା ଯାଇଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଡ଼ ସଂତୃପ୍ତ ମିଶ୍ର ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର ଏହି ଅସମାହିତ ପ୍ରଶ୍ନ ଗୁଡିକ ଉପସ୍ଥାପନ କରି ଦେଶରେ ଏକ ସୁଦୃଢ଼ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଏହି ପ୍ରଶ୍ନ ଗୁଡିକର ଉତ୍ତର ଆସିବାର ଆବଶ୍ୟକ ରହିଛି ବୋଲି କହିଥିଲେ ।

ଡ଼ ସଂତୃପ୍ତ ମିଶ୍ର କହିଥିଲେ, କୌଣସି ରାଜନୀତି ଉଦେ୍ଦଶ୍ୟରେ ନୁହେଁ ବରଂ ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜେଡି ଏହି ପ୍ରଶ୍ନର ଉତ୍ତର ଆଶା କରୁଛି । ନିର୍ବାଚନରେ ପ୍ରତି ବୁଥ୍ରେ ପଡ଼ିଥିବା ଭୋଟ ସଂଖ୍ୟାର ତଥ୍ୟ ଫର୍ମ ୧୭ସିରେ ମିଳିଥାଏ । ଅନେକ ଜାଗାରେ ପଡ଼ିଥିବା ଭୋଟ ଓ ଗଣତି ହୋଇଥିବା ଭୋଟ ମଧ୍ୟରେ ତାରତମ୍ୟ ରହୁଥିବାରୁ ଆମେ ଫର୍ମ ୧୭ସି ପାଇଁ ଆବେଦନ କରିଥିଲୁ, କିନ୍ତୁ ତାହା ପ୍ରଦାନ କରାଗଲା ନାହିଁ । ଦଳ ତରଫରୁ ନିର୍ବାଚନ କମିସନଙ୍କୁ ଲେଖାଯାଇଥିବା ପତ୍ରରେ ଏହାକୁ ହସ୍ତାନ୍ତର କରିବା ପାଇଁ କୁହାଯାଇଥିଲା । କିନ୍ତୁ କିଛି ଆସନରେ ନିର୍ବାଚନ ମାମଲା ଚାଲିଥିବା କାରଣରୁ ଏହା ଦିଆଯାଇ ପାରିବ ନାହିଁ ବୋଲି କମିସନ ଉତ୍ତର ଦେଇଥିଲେ । କିନ୍ତୁ ମାତ୍ର ୨୮ଟି ଆସନରେ ନିର୍ବାଚନ ମାମଲା ଚାଲିଥିବା ବେଳେ ଅନ୍ୟ ଆସନ ଗୁଡିକର ଫର୍ମ ୧୭ସି କାହିଁକି ପ୍ରଦାନ କରାଯିବ ନାହିଁ, ସେନେଇ କୌଣସି ଉତ୍ତର ରଖି ନଥିଲେ । ସେହିପରି କିଛି ସ୍ଥାନରେ ପଡ଼ିଥିବା ଭୋଟ ସଂଖ୍ୟା ଅପେକ୍ଷା କିପରି ଅଧିକ ଭୋଟ ଗଣତି ହୋଇପାରିଲା, ସେ ସମ୍ୱନ୍ଧରେ ମଧ୍ୟ ନିର୍ବାଚନ କମିସନର କୌଣସି ଉତ୍ତର ରଖିନାହାନ୍ତି । ନିର୍ବାଚନ କମିସନ ତାଙ୍କ ଉତ୍ତରରେ ଜଣାଇଥିଲେ ଯେ, ଯେଉଁଠାରେ କଣ୍ଟ୍ରୋଲ ୟୁନିଟ୍ରେ ଥିବା ଭୋଟ ସଂଖ୍ୟା ଫର୍ମ ୧୭ ସିରେ ଲେଖାଯାଇଥିବା ଭୋଟ ସଂଖ୍ୟା ସହିତ ତାଳମେଳ ଖାଏ ନାହିଁ, ତାହେଲେ ସେହି ଭୋଟ୍କୁ ଗଣତି କରାଯାଏ ନାହିଁ । କିନ୍ତୁ କେତୋଟି ସ୍ଥାନରେ ଏପରି ହୋଇଛି, ତାହା ନିର୍ବାଚନ କମିସନ ସ୍ପଷ୍ଟ କରିନାହାନ୍ତି । ନିର୍ବାଚନ କମିସନ ଦେଇଥିବା ଉତ୍ତର ଅନୁଯାୟୀ, ମକ ପୋଲ ବେଳେ ପଡ଼ିଥିବା ଭୋଟ ଗୁଡିକ ଡିଲିଟ୍ ହୋଇନଥିଲେ, ସେହି ଇଭିଏମ୍ରେ ପଡ଼ିଥିବା ଭୋଟ୍ ଗୁଡିକୁ ମଧ୍ୟ ଗଣତି କରାଯାଏ ନାହିଁ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କ ତ୍ରୁଟି ଯୋଗୁଁ, ଜଣେ ନାଗରିକର ଭୋଟକୁ ଗଣତି ନକରିବା ମଧ୍ୟ ତାର ମତ ଦେବାର ଅଧିକାରକୁ କ୍ଷୁଣ୍ଣ କରିବା ସଦୃଶ୍ୟ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସେହିପରି ଭୋଟିଂ ସମୟରେ ଇଭିଏମ୍ ମେସିନରେ ତ୍ରୁଟି ଦେଖାଯାଏ, ଯେଉଁଥିପାଇଁ ସେଠାରେ ଆଉ ଏକ ମେସିନ ଲଗାଯାଏ । କିନ୍ତୁ ତ୍ରୁଟି ଦେଖାଯିବା ପୂର୍ବରୁ କେତେ ଭୋଟ ପଡିଥିଲା ତାହାର କୌଣସି ବିବରଣୀ ପ୍ରଦାନ କରାଯାଉ ନାହିଁ ।

ଡ଼ ମିଶ୍ର କହିଥିଲେ, ବିଜେଡି ଆହୁରି ଏକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲା, ଯାହା ହେଉଛି ସନ୍ଧ୍ୟା ୫ଟା ଭୋଟ ଶେଷ ପାଇଁ ଥିବା ନିର୍ଦ୍ଧାରିତ ସମୟରେ କମିସନଙ୍କ ତରଫରୁ ପ୍ରଦାନ କରାଯାଇଥିବା ଭୋଟ ସଂଖ୍ୟା କିପରି ଭାବେ ଅହେତୁକ ବୃଦ୍ଧି ପାଉଛି ? କାରଣ ଗତ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ରରେ ଓ ୩୮ଟି ବିଧାନସଭା କ୍ଷେତ୍ରରେ ୭ରୁ ୩୦% ଭୋଟ ବୃଦ୍ଧି ପାଇଥିଲା, ଯାହା ପୂର୍ବ ନିର୍ବାଚନ ଗୁଡିକରେ ଦେଖିବାକୁ ମିଳି ନଥିଲା । ନିର୍ବାଚନ କମିସନ ଏହି ପ୍ରଶ୍ନ ସମ୍ୱନ୍ଧରେ ସ୍ପଷ୍ଟ କରିନାହାନ୍ତି । ଏହାଛଡା ଇଭିଏମ୍କୁ ନିୟମିତ ବ୍ୟବଧାନରେ ଅଡିଟ୍ କରିବା ପାଇଁ ରାଜନୈତିକ ଦଳ ମାନଙ୍କୁ ସୁଯୋଗ ଦିଆଯାଉ, ଯାହା ଫଳରେ ସ୍ୱଚ୍ଛତା ବୃଦ୍ଧି ପାଇବ । କିନ୍ତୁ ନିର୍ବାଚନ କମିସନ ଏ ସମ୍ୱନ୍ଧରେ ମଧ୍ୟ କୌଣସି ଉତ୍ତର ରଖି ନାହାନ୍ତି ।

ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗତ ନିର୍ବାଚନ ଅନୁଷ୍ଠିତ ହେବାର ୧୯ ମାସରୁ ଊଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ବାଚନ କମିସନ ଫର୍ମ ୧୭ସିକୁ ତାଙ୍କ ୱେବ୍ସାଇଟ୍ରେ ଅପ୍ଲୋଡ୍ କଲେ ନାହିଁ । ନିର୍ବାଚନରେ ଅନିୟମିତତା ହୋଇଛି ବୋଲି ଯେଉଁ ଅଭିଯୋଗ ହୋଇଆସୁଛି, ତାକୁ ପ୍ରମାଣିତ କରିବା ପାଇଁ ଫର୍ମ ୧୭ସି ହିଁ ଏକମାତ୍ର ଅସ୍ତ୍ର । ସମ୍ଭବତଃ ସେହି କାରଣରୁ ନିର୍ବାଚନ କମିସନର ଫର୍ମ ୧୭ସି ପ୍ରଦାନ କରିବା ପାଇଁ ବା ଏହାକୁ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିବାରେ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି । ଫୁଲବାଣୀ ବିଧାନସଭା ଆସନର ବୁଥ୍ ନମ୍ୱର ୫୭ରେ ଫର୍ମ ୧୭ସି ଅନୁଯାୟୀ ପଡ଼ିଥିବା ଭୋଟ ଓ ଫର୍ମ ୨୦ ଅନୁଯାୟୀ ଗଣତି ହୋଇଥିବା ଭୋଟ ସଂଖ୍ୟା ୬୮୨ ଖଣ୍ଡ ଅଧିକ ଭୋଟ ରହିଛି । ତଲସରା ବିଧାନସଭା ଆସନର ୧୬୫ ଓ ୨୧୯ ନମ୍ୱର ବୁଥ୍ରେ ୬୬୦ ଓ ୭୮୪ ଖଣ୍ଡ ଭୋଟ ଅଧିକ ଗଣତି ହୋଇଛି । ପଡ଼ିଥିବା ଭୋଟ ଓ ଗଣତି ହୋଇଥିବା ଭୋଟ ମଧ୍ୟରେ ରହୁଥିବା ଏହି ତାରତମ୍ୟ ନିର୍ବାଚନର ସ୍ୱଛତା ଉପରେ ପ୍ରଶ୍ନ ଉଠାଉଥିଲେ ମଧ୍ୟ ନିର୍ବାଚନ କମିସନ ଏହାକୁ ସ୍ପଷ୍ଟ କରିବା ପରିବର୍ତ୍ତେ ଅସ୍ପଷ୍ଟ ଉତ୍ତର ଦେଇ ଏହାକୁ ଟାଳି ଦେବାକୁ ଉଦ୍ୟମ କରୁଛନ୍ତି । ଦେଶରେ ସ୍ୱଚ୍ଛ ନିର୍ବାଚନ ଆୟୋଜନ କରିବା ଦେଶର ନିର୍ବାଚନ କମିସନରଙ୍କ ଦାୟିତ୍ୱ । ସ୍ୱଚ୍ଛ ନିର୍ବାଚନ ପ୍ରସଙ୍ଗରେ ଆଜି ବିଜେଡି ଯେଉଁ ପ୍ରଶ୍ନ ପଚାରୁଛି, ତାହା ଦେଶର ଗଣତନ୍ତ୍ରକୁ ସୁଦୃଡ଼ କରିବା ପାଇଁ ଉଦ୍ଦିଷ୍ଟ । ତେଣୁ ନିର୍ବାଚନ କମିସନ ଏ ସମ୍ୱନ୍ଧରେ ସ୍ପଷ୍ଟ ଉତ୍ତର ରଖିବା ସହିତ ଦେଶବାସୀଙ୍କ ମନରୁ ସନ୍ଦେହ ଦୂର କରିବା ଉଚିତ ବୋଲି ଡ଼ ସାମନ୍ତସିଂହାର କହିଥିଲେ ।