ଭୁବନେଶ୍ୱର, ୦୨/୦୨: ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ନେତୃତ୍ଵାଧୀନ ସେଣ୍ଟ୍ରାଲ ଓଡ଼ିଶା ଡ଼ିସକମର ଶକ୍ତି ବିତରଣ ସଂସ୍କାର ଏବଂ ଏହାର ପରିବର୍ତ୍ତନର ଯାତ୍ରା ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ୧୫୦୦ କୋଟିରୁ ଅଧିକ ଟଙ୍କାର ରଣନୈତିକ ପୁଞ୍ଜି ବିନିଯୋଗ ଫଳରେ ବିଦ୍ୟୁତ ବିଭ୍ରାଟ ଅଧାକୁ ହ୍ରାସ ପାଇଥିବା ବେଳେ ଏଟିଆଣ୍ଡସି କ୍ଷତି ୧୮.୯୪% କୁ ଖସି ଆସିଛି। ସ୍କାଡା ମାଧ୍ୟମରେ ୨୫୦ଟି ସବ୍ଷ୍ଟେସନର ସ୍ୱୟଂଚାଳିତକରଣ ଏବଂ ବିଲିଂ ତ୍ରୁଟିରେ ବ୍ୟାପକ ହ୍ରାସ ଭଳି ପ୍ରମୁଖ ବୈଷୟିକ ସଫଳତା ଏହି ଅଧ୍ୟୟନରେ ସ୍ଥାନ ପାଇଛି, ଯାହା ଗ୍ରାମାଞ୍ଚଳର ବିଦ୍ୟୁତ ଯୋଗାଣକୁ ଜାତୀୟ ହାର ସହିତ ସମାନ କରିପାରିଛି।
ଆଇଆଇଟି ଭୁବନେଶ୍ୱରର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଚନ୍ଦ୍ରଶେଖର ଭେଣ୍ଡେ, ଆସୋସିଏଟ୍ ପ୍ରଫେସର ଡକ୍ଟର ଚନ୍ଦ୍ରଶେଖର ପେରୁମାଲ୍ଲା ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଅଭିନୀତ ପ୍ରକାଶଙ୍କ ଦ୍ୱାରା ପରିଚାଳିତ ଏହି ଅଧ୍ୟୟନଟି ଟିପି ସେଣ୍ଟ୍ରାଲ ଓଡ଼ିଶା ଡିସକମ୍କୁ ଏକ ସୁଦୃଢ଼ ଏବଂ ଜଳବାୟୁ-ଉପଯୋଗୀ ମଡେଲ ଭାବେ ଉପସ୍ଥାପିତ କରିଛି, ଯାହା ଜାତୀୟ ବିତରଣ ସଂସ୍କାର ପାଇଁ ଏକ ବ୍ଲୁ ପ୍ରିଣ୍ଟ ସଦୃଶ ହୋଇଛି।