ଭୁବନେଶ୍ୱର, ୦୬/୦୨: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ପୁଣି ସମୟ ଦେଲେ ରାଜ୍ୟ ସରକାର। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଟଙ୍କା ଫେରସ୍ତ ପ୍ରକ୍ରିୟା। ଜାନୁଆରୀ ୩୧ ଅବଧିକୁ ମାର୍ଚ୍ଚ ୩୧ ଯାଏଁ ବଢ଼େଇଛନ୍ତି ରାଜ୍ୟ ସରକାର।
୮ରୁ ୧୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର। ଯେଉଁମାନେ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀଜ୍ରେ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ଏବଂ ପ୍ରଥମ ପର୍ଯ୍ୟାୟରେ ଟଙ୍କା ଫେରସ୍ତ ପାଇ ନଥିଲେ, ସେମାନଙ୍କୁ ଟଙ୍କା ଫେରସ୍ତ ହେଉଛି। ଯେଉଁମାନେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିଛନ୍ତି ଏବଂ ତଦନ୍ତ କମିଶନ ଦ୍ୱାରା ସୁପାରିଶ କରାଯାଇଛି, ସେମାନଙ୍କୁ ମଧ୍ୟ ଟଙ୍କା ଫେରସ୍ତ ହେଉଛି।
ପ୍ରମାଣପତ୍ର ଦେଇ ଆରଆଇଙ୍କ ନିକଟରେ କରିହେବ ଆବେଦନ। ଜମାକାରୀମାନେ ସେମାନଙ୍କର ଟଙ୍କା ଫେରସ୍ତ ପାଇବା ପାଇଁ, ପରିଚୟ ପତ୍ର (ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ, ଇତ୍ୟାଦି), ମୂଳ ଟଙ୍କାର ରସିଦ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ (ଆକାଉଣ୍ଟ ନମ୍ବର, ବ୍ୟାଙ୍କ ନାମ, IFSC) ନେଇ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକଙ୍କ ନିକଟକୁ ଯାଇ ଆବେଦନ କରି ପାରିବେ।
ଆବେଦନର ୧୫ ଦିନ ଭିତରେ ଟଙ୍କା ଫେରିପାଇବେ ଜମାକାରୀ। ଆବେଦନର ସ୍ଥିତି ଯାଞ୍ଚ କରିବା ପାଇଁ, ଜମାକାରୀମାନେ ସେମାନଙ୍କ ଜିଲ୍ଲାର ସରକାରୀ ୱେବସାଇଟ୍ ପରିଦର୍ଶନ କରିପାରିବେ ଏବଂ www.opid.odisha.gov.in ରେ ଆଫିଡେଭିଟ୍ ନମ୍ବର, ଆବେଦନ ନମ୍ବର ଦେଇ ଯାଞ୍ଚ କରିପାରିବେ।