ଓଡ଼ିଶାର ଟପ୍‌ ମାଓନେତା ନିଖିଲ୍‌ ଓ ପତ୍ନୀର ଆତ୍ମସମର୍ପଣ

ରାଜ୍ୟରେ‌ ଅଛନ୍ତି ହାତଗଣତି‌ ମାଓବାଦୀ: ଡିଜିପି

ମାଓ ଦମ୍ପତିଙ୍କ ମୁଣ୍ଡ ଉପରେ ଥିଲା ୧.୩୦ କୋଟିର ପୁରସ୍କାର ରାଶି

ଭୁବନେଶ୍ୱର, ୦୬/୦୨: ଓଡ଼ିଶାର ଟପ୍‌ ମାଓନେତା ନିଖିଲ୍‌ ଓରଫ ନିରଞ୍ଜନ ରାଉତ ଆତ୍ମସମର୍ପଣ କରିଛି। ତା’ ସହ ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ବି ଆତ୍ମସମର୍ପଣ କରିଛି। ମାଓ ଦମ୍ପତିଙ୍କ ମୁଣ୍ଡ ଉପରେ ଥିଲା ୧ କୋଟି ୩୦ ଲକ୍ଷର ପୁରସ୍କାର ରାଶି। ରାୟଗଡ଼ା ପୋଲିସ ନିକଟରେ ମୋଟ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ। ୧୫ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୭ ମହିଳା କ୍ୟାଡର ମାଓ ଦମ୍ପତି ନିଖିଲ୍ ଓ ଇନ୍ଦୁର ଆତ୍ମସମର୍ପଣ ନେଇ ସ୍ପଷ୍ଟ କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ।

ଡିଜିପି ସୂଚନା ଦେଇ କହିଛନ୍ତି, ଜଗତସିଂହପୁରର ନିଖିଲ୍‌ ଓରଫ ନିରଞ୍ଜନ ରାଉତ ଓ କଟକ ଟାଙ୍ଗୀର ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା ଆତ୍ମସମର୍ପଣ କରିଛନ୍ତି। ଏଥିସହ ବାଶଧାରା ଘୁମୁସର ନାଗାବଳୀ ଡିଭିଜନର ମୋଟ୍ ୧୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ନିଖିଲ୍ ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିଲା। ଦୁଇ ଦଶନ୍ଧିରୁ ଅଧିକ ମାଓବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିଲା ନିଖିଲ୍। ଏବେ ବି କନ୍ଧମାଳ ପାଖାପାଖି ଜିଲ୍ଲାରେ କିଛି କ୍ୟାଡର ମାଓବାଦୀ ଉପସ୍ଥିତ ଅଛନ୍ତି।

ସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍‌ ହେବାକୁ ଅପିଲ୍ କରିଛନ୍ତି ଡିଜିପି। ଡିଜିପି କହିଛନ୍ତି ରାଜ୍ୟରେ ଆଉ କିଛି ହାତଗଣତି ମାଓବାଦୀ ଅଛନ୍ତି। ମାର୍ଚ୍ଚ ପୂର୍ବରୁ ସେମାନେ ବି ଆତ୍ମସମର୍ପଣ କରିପାରନ୍ତି।