ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନ; ୭୦ରୁ ଉର୍ଦ୍ଧ୍ୱ ମୃତ

ପୂରା ସହରରେ ଲାଗୁ ହେଲା ଏମର୍ଜେନ୍ସୀ

ଇସଲାମାବାଦ, ୦୬/୦୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୭୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ ଜଣ ଆହତ ହୋଇଛନ୍ତି। ନମାଜ ପାଠ ସମୟରେ ଏହି ବିସ୍ଫୋରଣ ହୋଇଥିଲା। ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ମଧ୍ୟ ବିସ୍ଫୋରଣରେ ଉଡ଼ାଇ ଦେଇଛି।

ପୋଲିସ କହିଛି ଯେ ଇସଲାମାବାଦର ତାରଲାଇ ଅଞ୍ଚଳରେ ଅବସ୍ଥିତ ଖାଦିଜାତୁଲ କୁବ୍ରା ମସଜିଦ-କମ-ଇମାମ୍ବାରାରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଇମାମବାରାର ଫାଟକରେ ଅଟକାଯାଇଥିଲା, କିନ୍ତୁ ସେ ନିଜକୁ ବିସ୍ଫୋରଣ କରିଦେଇଥିଲା।

ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଦାୟୀ ହୋଇନାହାଁନ୍ତି। ରାଜଧାନୀରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସେନା ଏବଂ ରେଞ୍ଜର୍ସ କର୍ମଚାରୀମାନେ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି ଏବଂ ବିସ୍ଫୋରଣ ସ୍ଥଳ ଚାରିପାଖରେ ସୁରକ୍ଷା ଅଭିଯାନ ଚାଲିଛି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ତଦନ୍ତ ଚାଲିଛି। ଇସଲାମାବାଦର ଏହା ଏକ ସିଆ ମସଜିଦ।

ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଆହତମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଇସଲାମାବାଦର ଏକ ମସଜିଦ ବାହାରେ ହୋଇଥିବା ବିସ୍ଫୋରଣକୁ ନିନ୍ଦା କରିଛନ୍ତି। ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।