ନୂଆଦିଲ୍ଲୀ, ୦୯/୦୨: ରାଜଧାନୀ ଦିଲ୍ଲୀର ଅନେକ ପ୍ରମୁଖ ସ୍କୁଲକୁ ଟାର୍ଗେଟ କରି ବୋମା ଧମକ ଦିଆଯିବା ପରେ ଆଲର୍ଟ ଜାରି କରାଯାଇଛି।
ସକାଳ ୮:୩୦ ରୁ ୯:୦୦ ଟା ମଧ୍ୟରେ ଅତି କମରେ ନଅଟି ସ୍କୁଲକୁ ବୋମା ଧମକ ଇମେଲ୍ ମିଳିଥିବା ସୂଚନା ମିଳିଛି। ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ଲୋରେଟୋ କନଭେଣ୍ଟ, ରୋହିଣୀର ଭେଙ୍କଟେଶ୍ୱର ଗ୍ଲୋବାଲ୍ ସ୍କୁଲ, କେମ୍ବ୍ରିଜ୍ ସ୍କୁଲର ଶ୍ରୀନିବାସପୁରୀ ଏବଂ ନ୍ୟୁ ଫ୍ରେଣ୍ଡସ୍ କଲୋନି କ୍ୟାମ୍ପସ୍, ସାଦିକ୍ ନଗରର ଦି ଇଣ୍ଡିଆନ୍ ସ୍କୁଲ, ରୋହିଣୀର ସିଏମ୍ ଶ୍ରୀ ସ୍କୁଲ, ଆଇଏନଏର ଡିଟିଇଏ ସ୍କୁଲ, ରୋହିଣୀର ବାଲ୍ ଭାରତୀ ସ୍କୁଲ ଏବଂ ନ୍ୟୁ ରାଜିନ୍ଦର ନଗରର ମାନବ ସ୍ଥଳୀ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି।
ଧମକ ମିଳିବା ପରେ ତୁରନ୍ତ ଦିଲ୍ଲୀ ପୋଲିସକୁ ଖବର ଦିଆଯାଇଥିଲା। ଅଗ୍ନିଶମ ଦଳ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଘଟଣାସ୍ଥଳକୁ ଆସି ଛାତ୍ର ଏବଂ କର୍ମଚାରୀମାନଙ୍କୁ ତୁରନ୍ତ ସ୍କୁଲ ପରିସରରୁ ବାହାର କରିଥିଲେ। ପୋଲିସ କହିଛି ଯେ ବର୍ତ୍ତମାନ ତଦନ୍ତ ଚାଲିଛି।
ଏପରିକି “ଦିଲ୍ଲୀ ଖଲିସ୍ତାନ ହୋଇଯିବ, ଅଫଜଲ ଗୁରୁଙ୍କ ସ୍ମୃତିରେ। ଅପରାହ୍ନ ୧:୧୧ ରେ ଏକ ବିସ୍ଫୋରଣ ହେବ।” ବୋଲି ମଧ୍ୟ ଧମକ ମିଳିଛି। ‘ଖାଲିସ୍ତାନ ନ୍ୟାସନାଲ ଆର୍ମି’ ସାଇନ୍ କରାଯାଇଥିବା ଏହି ଇମେଲରେ ଏହି ସପ୍ତାହର ଶେଷ ଭାଗରେ ସଂସଦ ଉପରେ ଆକ୍ରମଣ ନେଇ ଧମକ ମଧ୍ୟ ଦିଆଯାଇଥିଲା। ଆସନ୍ତା ୧୩ ତାରିଖ ଅପରାହ୍ନ ୧ଟା ୧୧ରେ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଛି। ତେବେ ମେଟ୍ରୋ ସହରଗୁଡ଼ିକରେ ବାରମ୍ବାର ବୋମା ଧମକ ଦେବା ନିତିଦିନିଆ ହୋଇଗଲାଣି। କିନ୍ତୁ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି।