ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ଓଡ଼ିଶା ସରକାରଙ୍କ ନୂଆ ରୋଡ୍‌ମ୍ୟାପ୍

ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ୍

ଭୁବନେଶ୍ୱର, ୧୧/୦୨: ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଓଡ଼ିଶାରେ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଲେ ରାଜ୍ୟ ସରକାର। ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ଓଡ଼ିଶା ସରକାରଙ୍କ ଏହି ନୂଆ ରୋଡ୍‌ମ୍ୟାପ୍ କରିଛନ୍ତି। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି।

୨ ମାସରେ ଦ୍ୱିତୀୟ ଥର ପାଇଁ ସଂଶୋଧିତ ହୋଇଛି ପ୍ୟାକେଜ୍। ଏଣିକି ଆତ୍ମସମର୍ପଣର ୬୦ ଦିନ ସୁଦ୍ଧା ମିଳିବ ଥଇଥାନ ସୁବିଧା। ଥଇଥାନ ପ୍ୟାକେଜ ବା ପୁନର୍ବାସ ନୀତିରେ ନୂଆ ନିୟମ ଆଣିଛନ୍ତି ସରକାର। ଓଡ଼ିଶାରେ ସକ୍ରିୟ ନକ୍ସଲଙ୍କୁ ମିଳିବ ଯୋଜନାର ସୁବିଧା। ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କୁ ସର୍ବାଧିକ ୧.୧୦ କୋଟି, ରାଜ୍ୟ କମିଟି ୫୫ ଲକ୍ଷ, ଆଂଚଳିକ କମିଟି ସଭ୍ୟ ପାଇଁ ୩୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।

ସେହିପରି ୫ ଲକ୍ଷରୁ ଅଧିକ ପୁରସ୍କାର ଥିବା ନକ୍ସଲଙ୍କୁ ଅତିରିକ୍ତ ୧୦ ଲକ୍ଷ ଫିକ୍ସଡ୍ ଡିପୋଜିଟ୍ ଦିଆଯିବ। ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡର୍‌ଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଧାର୍ଯ୍ୟ କରାଯାଇଛି। ଏଲ୍‌ଏମ୍‌ଜି ବନ୍ଧୁକ ପାଇଁ ୪.୯୫ ଲକ୍ଷ ଓ ଏକେ-୪୭ ପାଇଁ ୩.୩୦ ଲକ୍ଷ ଟଙ୍କା, ଇନସାସ୍ ବା ଏସ୍‌ଏଲ୍‌ଆର୍‌ ରାଇଫଲ୍ ପାଇଁ ୧.୬୫ ଲକ୍ଷ ଟଙ୍କା ଅଲଗା ଦିଆଯିବ। ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତି ଗୁଳି ପାଇଁ ୫୫ ଟଙ୍କା ପୁରସ୍କାର ଦିଆଯିବ। କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ଅତିରିକ୍ତ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। ଚଳିତବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ଏହି ନୂଆ ନିୟମ ଆଣିଛନ୍ତି ସରକାର।