କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍

ପ୍ରତିକ୍ରିୟା ରଖିଲେ ସାଂସଦ ଦେବାଶିଷ ସାମନ୍ତରାୟ

କଟକ, ୧୪/୦୨: କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି କରାଯାଇଛି। ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ ଗ୍ରହଣ କରି ନୋଟିସ ଜାରି କରାଯାଇଛି।

ଜାନୁଆରି ୨୩ ତାରିଖରେ କଟକ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ମୁଖ ଅତିଥି ଭାବେ ଯୋଗଦେଇଥିଲେ। କିନ୍ତୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆମନ୍ତ୍ରଣ କରାଯାଇନଥିଲା। ଯାହା ଫଳରେ ଦେବାଶିଷ ସାମନ୍ତରାୟଙ୍କ ସମେତ ଅନ୍ୟ ବିଜେଡ଼ି ସାଂସଦ ମାନେ ମଧ୍ୟ ଅଭିଯୋଗ କରିଥିଲେ।

ତେବେ କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଘଟଣାରେ ଦେବାଶିଷ ପ୍ରତିକ୍ରିୟା ରଖି କହିଛନ୍ତି, ଏ ବାବଦରେ ମୁଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲି। ତାଙ୍କ ନିର୍ଦ୍ଦେଶ କ୍ରମେ DOPT ବିଭାଗ ଘଟଣାର ଅନୁଧ୍ୟାନ କରିବ। ପୂର୍ବରୁ ପ୍ରୋଟୋକଲ ମାନି ମୋତେ ସରକାରୀ କାଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି। ବର୍ତ୍ତମାନ ମୋ ସହ ଏଭଳି କାହିଁକି କଲେ ମୁଁ ଜାଣିନାହିଁ। ଇମେଲ୍‌ରେ ନିମନ୍ତ୍ରଣ କରିଥିଲେ, ଇମେଲ୍‌ରେ ନିମନ୍ତ୍ରଣ ଯଥେଷ୍ଟ ନୁହେଁ। ରାତି ସାଢ଼େ ୮ ଟାରେ ଇମେଲ୍ ଆସିଛି, ସକାଳେ କାର୍ଯ୍ୟକ୍ରମ ଅଛି। ଇମେଲ୍ ମୋ ରାଜ୍ୟସଭା ଅଫିସକୁ ଆସିଥିଲା। ସେହିପରି ଫଳକ ଓ ନିମନ୍ତ୍ରଣ କାର୍ଡରେ ମୋ ନାଁ ରଖିଲେନି। ଆଶା କରିବି ବିଭାଗ ଘଟଣାର ତର୍ଜମା କରି ପଦକ୍ଷେପ ନେବ।‌ ମୁଁ ଅନେକ IAS ଅଧିକାରୀଙ୍କୁ ଦେଖିଛି ଓ ତାଙ୍କ ସହ କାମ କରିଛି। ଏ ଜିଲ୍ଲାପାଳ ଲୋକ ପ୍ରତିନିଧିଙ୍କ ପ୍ରୋଟୋକଲ ମାନୁନାହାନ୍ତି କିମ୍ବା ସମ୍ମାନ କରୁନାହାନ୍ତି ବୋଲି କହିଛନ୍ତି ଦେବାଶିଷ।