ଖୁବ୍ ଶୀଘ୍ର ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା ପ୍ରକ୍ରିୟା ଆରମ୍ଭ

ଜୁଲାଇ ଦ୍ୱିତୀୟ ସପ୍ତାହରୁ ନୂତନ ଶିକ୍ଷାବର୍ଷ

ଭୁବନେଶ୍ୱର, ୧୪/୦୨: ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସ୍ନାତକ (UG) ଏବଂ ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଏଥର ବହୁ ଆଗରୁ ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗ ଏ ନେଇ ସ୍ପଷ୍ଟ ସୂଚନା ପ୍ରଦାନ କରିଛ।

ନୂତନ ଶୈକ୍ଷିକ କ୍ୟାଲେଣ୍ଡର ଅନୁଯାୟୀ, ଆସନ୍ତା ଜୁଲାଇ ୧୦ ତାରିଖରୁ ଶ୍ରେଣୀଗୃହ ପଠନ ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଛି। ଶିକ୍ଷା ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ବିଭାଗ ଏକ ସୁସ୍ପଷ୍ଟ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଛି।

ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ସମ୍ପନ୍ନ ହେବ। ଜୁନ୍ ୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶିତ ହେବ। ଏହି ସମୟସୂଚୀ ଯୋଗୁଁ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଉଚ୍ଚଶିକ୍ଷା ପାଇଁ ପର୍ଯ୍ୟାପ୍ତ ସମୟ ପାଇପାରିବେ।

ନାମଲେଖା ପ୍ରକ୍ରିୟାକୁ ଆହୁରି ସହଜ ଓ ସମୟାନୁବର୍ତ୍ତୀ କରିବା ପାଇଁ ଛାତ୍ର ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (SAMS)କୁ ଆହୁରି ସକ୍ରିୟ କରାଯାଉଛି। ଏଥିପାଇଁ PG ନାମଲେଖାର ମାଷ୍ଟର ଡାଟାବେସ୍‌କୁ ଆସନ୍ତା ଫେବୃଆରୀ ୨୪ ତାରିଖ ସୁଦ୍ଧା ଅପଡେଟ୍ କରିବାକୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନୁଦାନପ୍ରାପ୍ତ ଓ ଅନ୍ୟାନ୍ୟ ସମସ୍ତ କଲେଜଗୁଡ଼ିକୁ ନିଜର SAMS କୋଡ୍ ଏବଂ ଲଗ୍-ଇନ୍ ବିବରଣୀ ସଠିକ୍ ଭାବେ ଅପଡେଟ୍ କରିବାକୁ କୁହାଯାଇଛି।

ଏବେ ଓଡ଼ିଶାର ଛାତ୍ରଛାତ୍ରୀମାନେ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ନାମଲେଖା ପାଇଁ ଆବେଦନ କରିପାରିବେ। ଏହା କମନ୍ ଆପ୍ଲିକେସନ୍ ଫର୍ମ (CAF) ଏବଂ SAMS ପୋର୍ଟାଲରେ ଉପଲବ୍ଧ ହେବ।