ଦିଗପହଣ୍ଡି, ୨୨/୦୨: ରବିବାର ସକାଳୁ ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ପଦର ଜମିରୁ ପରିବା ତୋଳୁଥିବା ସମୟରେ ଏକ ଜଙ୍ଗଲିଆ ଦନ୍ତା ହାତୀର ଆକ୍ରମଣର ଶିକାର ହୋଇ ମହିଳା ସମେତ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ ଉର୍ମିଳା ରାଉତ (୫୧) ଏବଂ ସ୍ବର୍ଗତ କାଶୀନାଥ ପ୍ରଧାନଙ୍କ ପୁଅ ଗୋପୀନାଥ ପ୍ରଧାନ(୬୭) । ଖବରନୁଯାୟୀ , ରବିବାର ସକାଳ ପାଖାପାଖି ସାଢେ ୬ ଘଣ୍ଟା ସମୟରେ ସିମାଞ୍ଚଳ ଏବଂ ତାଙ୍କ ସ୍ତ୍ରୀ ଉର୍ମିଳା ମିଶି ନଦୀ ପାର୍ଶ୍ବରେ ଥିବା ପଦରକୁ କୋବି ତୋଳିବାକୁ ଯାଇଥିଲେ । ସେହି ସମୟରେ ତୋଟାରେ ରହିଥିବା ଦନ୍ତାହାତୀଟି ଏମାନଙ୍କ ନିକଟକୁ ମାଡି ଆସୁଥିବା ଦେଖି ଉଭୟ ପ୍ରାଣ ବିକଳରେ ଦୌଡିବାକୁ ଲାଗିଲେ । କିଛି ଦୂର ଯିବାପରେ ଉର୍ମିଳା ପଡି ଯାଇଥିଲେ । ଯାହାଦ୍ବାରା ସ୍ବାମୀ ସିମାଞ୍ଚଳ ସ୍ତ୍ରୀ ଉର୍ମିଳାଙ୍କୁ କାନ୍ଧରେ ଉଠାଇ ନେବା ସମୟରେ ହାତୀଟି ଉର୍ମିଳାଙ୍କୁ ଶୁଣ୍ଢରେ ଟେକି ତଳେ କଚାଡି ଦେଇଥିଲା । ସେହିପରି ଗୋପୀନାଥ ଏବଂ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନ ନିକଟସ୍ଥ ବିଲରେ ପାଣି ମଡାଉଥିବା ବେଳେ ଦନ୍ତାହାତୀକୁ ଦେଖି ସ୍ବାମୀ ସ୍ତ୍ରୀ ପ୍ରାଣ ବିକଳରେ ଧାଉଁଥିବା ସମୟରେ ଗୋପୀନାଥ ତଳେ ପଡିଯିବାରୁ ହାତୀଟି ତାଙ୍କ ମୁଣ୍ଡକୁ ଦଳି ଦେଇଥିଲା । ଖବରପାଇ ସ୍ଥାନୀୟ ଲୋକଙ୍କ ରୁଣ୍ଡ ହେବାପରେ ହାତୀଟି ଜଙ୍ଗଲ ମୁହାଁ ହୋଇ ଯାଇଥିଲା । ଘଟଣାପରେ ଦିଗପହଣ୍ଡି ଆମ୍ବୁଲାନ୍ସ ଘଟଣାସ୍ଥଳରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ଦିଗପହଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଦ୍ବୟ ଜବତ କରି ଅପମୃତ୍ୟୁ ମାମଲା ନଂ ୭/୨୬ ଏବଂ ୮/୨୬ ଅନୁଯାୟୀ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲା । ଅପରାହ୍ନରେ ଉଭୟ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଆତ୍ମୀୟଙ୍କ କ୍ରନ୍ଦନରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା । ଏନେଇ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ପୋଲିସ ପ୍ରଶାସନ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ଓ ପୂର୍ବତନ ସରପଞ୍ଚ ଦିଲିପ କୁମାର ସେଠୀଙ୍କ ଉପସ୍ଥିତିରେ ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସାନ୍ତ୍ଵନା ଦେଇଥିଲେ । ଏନେଇ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅପରପକ୍ଷରେ ଖବରପାଇ ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।