ଦିଗପହଣ୍ଡି, ୨୨/୦୨: ଶନିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଏବଂ ବ୍ଳକ ଅଧିନସ୍ଥ ବି. ତୁରୁବୁଡ଼ିି ପଞ୍ଚାୟତର ଦସିପୁର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । ମଦ ପିଇବାକୁ ବାପାଙ୍କୁ ଟଙ୍କା ମାଗିଥିଲା ନୃଶଂସ ପୁଅ କେ. ଧନୁ ରେଡ୍ଡୀ । କିନ୍ତୁ ବାପା କେ. ବୁଲୁ ରେଡ୍ଡୀ ଟଙ୍କା ଦେବାକୁ ଅରାଜି ହେବାରୁ ନୃଶଂସ ହୋଇ ପୁଅ ଜଣକ ନିଜ ଜନ୍ମ କଲା ବାପାଙ୍କୁ ଏକ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ବୁଲୁଙ୍କ ଏକମାତ୍ର ପୁତ୍ର ଧନୁ ତିରୁପତିରେ ରହି କାମ କରୁଛନ୍ତି । ନିକଟରେ ସେ ଘରକୁ ଆସିଥିଲେ । ଏପରିକି ସେ ପ୍ରତ୍ୟେକ ଦିନ ପ୍ରଚୁର ମଦ୍ୟପାନ କରି ଘରକୁ ଆସିବା ସହ ବିଭିନ୍ନ ସମୟରେ ନିଜ ସ୍ତ୍ରୀ, ମାଆ, ବାପା ଏବଂ ଶାଶୁଙ୍କୁ ମାରପିଟ୍ କରି ଆସୁଥିଲେ । ତେବେ ଶନିବାର ରାତି ପ୍ରାୟ ୧ ଘଣ୍ଟା ସମୟରେ ଧନୁ ବାପା ବୁଲୁଙ୍କୁ ମଦ ପାଇଁ ଟଙ୍କା ମାଗିଥିଲେ । କିନ୍ତୁ ବାପା ଟଙ୍କା ଦେଇନଥିଲେ । ଯାହାଫଳରେ ଧନୁ ଉତ୍ତେଜିତ ହୋଇ ବାପାଙ୍କୁ ଏକ ଠେଙ୍ଗାରେ ମୁଣ୍ଡକୁ ଆକ୍ରମଣ କରିଥିଲା । ଏହି ସମୟରେ ବୁଲୁଙ୍କୁ ପରିବାର ଲୋକେ ଛଡ଼ାଇବାକୁ ଆସିବା ସମୟରେ ଧନୁ ସମସ୍ତଙ୍କୁ ମାରିଦେବା ପାଇଁ ଧମକ ଦେଇ ଚାଲି ଯାଇଥିଲା । ଏହାପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ବୁଲୁଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ମେଡିକାଲ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଖବରପାଇ ଦିଗପହଣ୍ଡି ଥାନା ପୋଲିସ କର୍ମକର୍ତ୍ତା ମାନେ ଗ୍ରାମରେ ପହଞ୍ଚି ଧନୁକୁ ପୋଲିସ ଥାନାକୁ ଆଣି ତଦନ୍ତ ଚଳାଇଥିବା ବେଳେ ଏକ ରକ୍ତଭିଜା ଠେଙ୍ଗାକୁ ପୋଲିସ ଜବତ କରିଥିବା ଜଣାପଡିଛି ।