ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଡିଜିଟାଲ କୃଷି ମିଶନ ଅଧୀନରେ ୨୩.୫ କୋଟି ଫସଲ ଜମି ସର୍ବେକ୍ଷଣ ଏବଂ ୭.୬୩ ଚାଷୀ ଆଇଡି ପ୍ରସ୍ତୁତି ସହ କୃଷି କ୍ଷେତ୍ର ପାଇଁ ବିଶାଳ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିଛି ଭାରତ
ଜାତୀୟ ଟିକା ସର୍ବେକ୍ଷଣ ପ୍ରଣାଳୀରେ ୬୬ଟି ଫସଲର ସୁରକ୍ଷା ଓ ୪୩୨ ପ୍ରକାର କୀଟ ଚିହ୍ନଟରେ ମିଳିଛି ସହାୟତା; ୧୦ ହଜାରରୁ ଅଧିକ ସମ୍ପ୍ରସାରଣ କର୍ମୀଙ୍କୁ ବାସ୍ତବ ସମୟ ମାର୍ଗଦର୍ଶିକା ଯୋଗାଇଦେବାରେ ମିଳୁଛି ସହାୟତା
ନୂଆଦିଲ୍ଲୀ, ୨୨/୦୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶ୍ୱବ୍ୟାପୀ ଏଆଇ ପ୍ରତିଯୋଗିତା ମାନ୍ୟତା ଅନୁଯାୟୀ ଏଆଇ ପ୍ରତିଯୋଗିତା ମାନ୍ୟତାରେ ଭାରତ ତୃତୀୟ ସ୍ଥାନରେ ରହିଛି। ନିକଟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଯୁକ୍ତିବିଦ୍ୟାକୁ ସାର୍ବଜନୀନ କରିବା ଏବଂ ଏଆଇ କ୍ଷମତାର ସମାନତାପୂର୍ଣ୍ଣ ଏବଂ ସୁଲଭ ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ଆଲୋକପାତ କରାଯାଇଛି। ଭାରତର ପ୍ରଶାସନିକ ସୁଧାର, ସେବା ବିତରଣ ଏବଂ ଦୀର୍ଘସ୍ଥାୟୀ ବିକାଶ ଲାଗି ଏଆଇର ମାନବ କୈନ୍ଦ୍ରିକ ଏବଂ ନୈତିକ ବ୍ୟବହାର ଲାଗି ସବୁବେଳେ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତର କୃଷି କ୍ଷେତ୍ରରେ ଚାଷୀଙ୍କୁ ସହାୟତା ଯୋଗାଇ ଦେବା, ନିଷ୍ପତ୍ତି ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଉତ୍ପାଦକତା ବଢ଼ାଇବା ଲାଗି ଏଆଇର ବର୍ଦ୍ଧିତ ଉପଯୋଗ କରାଯାଉଛି।
ଉପଗ୍ରହ ଚିତ୍ର, ଡ୍ରୋନ ଆଧାରିତ ନିରୀକ୍ଷଣ ଏବଂ କୃଷି ସ୍ତରୀୟ ଫଟୋକୁ ବ୍ୟବହାର କରି ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଏଆଇର ଉପଯୋଗ କରାଯାଉଛି। ଏହା ପ୍ରୟୋଗଶାଳାରେ ମାଟି ପରୀକ୍ଷାର ଆବଶ୍ୟକତାକୁ ଦୂର କରୁଛି। ଏଆଇ ମଧ୍ୟ ବୃଷ୍ଟିପାତ ସ୍ଥିତି, ତାପମାତ୍ରା ପରିବର୍ତ୍ତନ ଏବଂ ଖରାପ ପାଣିପାଗ ପୂର୍ବାନୁମାନ ଲାଗି ପାଣିପାଗ ଏବଂ ଜଳବାୟୁ ତଥ୍ୟର ବିଶ୍ଳେଷଣରେ ସହାୟକ ହେଉଛି। ଏହା ମଧ୍ୟ କୀଟ ଏବଂ ଫସଲ ରୋଗ ଚିହ୍ନଟ କରିବା ଲାଗି ଉପଗ୍ରହ ଚିତ୍ର, ଡ୍ରୋନ, ସେନ୍ସର ଏବଂ ଅନ୍ୟ ଫଟୋଗୁଡ଼ିକୁ ବିଶ୍ଳେଷଣ କରୁଛି। ଏଆଇ ଆଧାରିତ ଚିତ୍ର ବର୍ଗୀକରଣ ଏବଂ ମସିନ ଲର୍ଣ୍ଣିଂ ଉପକରଣ ଡ୍ରୋନ, ରିମୋଟ୍ ସେନ୍ସିଂ ଓ ସ୍ଥାନୀୟ ସେନ୍ସର ଡାଟା ଉପଯୋଗ କରି କୃଷି ଯନ୍ତ୍ରାଂଶର ଦକ୍ଷ ଉପଯୋଗ କରାଯାଇପାରୁଛି। ସେହିପରି ଏଆଇ ଚାହିଦା-ଯୋଗାଣ ପୂର୍ବାନୁମାନ, ବଜାର ଗୁଇନ୍ଦା ଏବଂ କୃଷି ମୂଲ୍ୟ ଶୃଙ୍ଖଳରେ ସମନ୍ୱୟକୁ ସୁଦୃଢ଼ କରିଛି। ଏହାଫଳରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉଚିତ୍ ମୂଲ୍ୟ ମିଳିପାରୁଛି। ଇନାମ, ଆଗମାର୍କେଟ, କୃଷି ଉପକରଣ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ କାର୍ଯ୍ୟକ୍ରମ ଭଳି ପ୍ଲାଟଫର୍ମରେ ଦର ବିଶ୍ଳେଷଣ ଏବଂ ପୂର୍ବାନୁମାନରେ ଏଆଇ ସହାୟକ ହୋଇଛି। ଏହାଦ୍ୱାରା ୧୨ଟି ରାଜ୍ୟରେ ୧୮ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ।
ଏଆଇ ମଧ୍ୟ ପାଣି, ସାର ଓ କୀଟନାଶକକୁ ଉପଯୁକ୍ତ ପରିମାଣରେ ପ୍ରୟୋଗ କରିବାରେ ଚାଷୀଙ୍କୁ ସହାୟକ ହେଉଛି। ଏହାଦ୍ୱାରା ଉତ୍ପାଦକତା ବୃଦ୍ଧି ପାଇବା ସହିତ ଜଳ ଏବଂ ଇନ୍ଧନ ସଞ୍ଚୟରେ ସହାୟତା ମିଳୁଛି। ସେହିପରି ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ହ୍ରାସ ପାଇଛି। ସରକାର ନୀତିଗତ ହସ୍ତକ୍ଷେପରେ ଏଆଇର ସଦୁପଯୋଗ କରୁଛନ୍ତି। କେନ୍ଦ୍ର ବଜେଟ୍ ୨୦୨୬-୨୭ ରେ ଏଗ୍ରିଷ୍ଟାକ୍ ପୋର୍ଟାଲ୍ ଏବଂ ଆଇସିଏଆର ପ୍ୟାକେଜକୁ ଏଆଇ ପ୍ରଣାଳୀ ସହିତ ସଂଯୁକ୍ତ କରିବା ପାଇଁ ଏକ ବହୁଭାଷୀ ଏଆଇ ଉପକରଣ ଭାରତ ବିସ୍ତାରର ଶୁଭାରମ୍ଭ କରାଯାଇଛି। ଏହା ପରାମର୍ଶ ସେବା ଯୋଗାଇ ଦେଇ ଫସଲ ଉତ୍ପାଦକତା ବଢ଼ାଇବା ସହ ଚାଷୀଙ୍କୁ ଉନ୍ନତ ନିଷ୍ପତ୍ତି ଗ୍ରହଣ ଏବଂ ବିପଦ ହ୍ରାସରେ ସହାୟକ ହୋଇପାରିବ। ଡିସେମ୍ବର ୨୦୨୫ ସୁଦ୍ଧା ଏଆଇ ଆଧାରିତ କିଷାନ ଇ-ମିତ୍ର ଚାଟବୋଟରେ ୯୩ ଲକ୍ଷରୁ ଅଧିକ ପ୍ରଶ୍ନର ଉତ୍ତର ମିଳିଛି। ଦୈନିକ ୧୧ଟି ଆଞ୍ଚଳିକ ଭାଷାରେ ୮ହଜାର ଚାଷୀଙ୍କ ପ୍ରଶ୍ନର ସମାଧାନ ହୋଇଛି ।
ଜାତୀୟ କୀଟ ନିରୀକ୍ଷଣ ପ୍ରଣାଳୀ ଏଆଇ ଏବଂ ମସିନ ଲର୍ଣ୍ଣିଂର ଉପଯୋଗ କରୁଛି। ଏହାଦ୍ୱାରା ୪୩୨ଟି କୀଟ ପ୍ରଜାତିକୁ ଚିହ୍ନଟ କରାଯାଇଛି ଏବଂ ୬୬ ପ୍ରକାର ଫସଲ ସୁରକ୍ଷା ହୋଇପାରିଛି। ଫଳରେ ୧୦ ହଜାରରୁ ଅଧିକ ସମ୍ପ୍ରସାରଣ କର୍ମୀଙ୍କୁ ସହାୟତା ମିଳିଛି। ୧୩ଟି ରାଜ୍ୟର କିଛି ଅଂଶରେ ସ୍ଥାନୀୟ ପାଣିପାଗ ପୂର୍ବାନୁମାନ ପାଇଁ ଖରିଫ ୨୦୨୫ ସମୟରେ ଏକ ଏଟିଆଇ-ଆଧାରିତ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ସ୍ଥାନୀୟ ମୌସୁମୀ ଆଗମନକୁ ଧ୍ୟାନ ଦେଇ ସର୍ବୋତ୍ତମ ବିହନ ନିଷ୍ପତ୍ତି ନେବା ପାଇଁ, ସମ୍ଭାବ୍ୟ ପୂର୍ବାନୁମାନ ଏମକିଷାନ ପୋର୍ଟାଲ୍ ମାଧ୍ୟମରେ ଏସଏମଏସ ଜରିଆରେ ୧୩ଟି ରାଜ୍ୟର ପାଞ୍ଚଟି ଆଞ୍ଚଳିକ ଭାଷାରେ ୩.୮୮ କୋଟିରୁ ଅଧିକ ଚାଷୀଙ୍କୁ ଏହାର ଲାଭ ମିଳିଥିଲା।
୨୦୨୪ ମସିହାରେ ଆରମ୍ଭ ହୋଇଥିବା ଡିଜିଟାଲ୍ କୃଷି ମିଶନର ମୋଟ ବ୍ୟୟ ଅଟକଳ ୨,୮୧୭ କୋଟି ଥିବା ବେଳେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୫୪,୯୭୨ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଏହାର ଲକ୍ଷ୍ୟ ଥିଲା କୃଷି କ୍ଷେତ୍ରରେ ଅଭିନବ, କୃଷକ-କୈନ୍ଦ୍ରିକ ଡିଜିଟାଲ୍ ସମାଧାନକୁ ଆଗକୁ ବଢାଇବା। ଏହି ମିଶନ ଚାଷୀମାନଙ୍କୁ ଠିକ୍ ସମୟରେ ଫସଲ ଆଧାରିତ ସୂଚନା ପ୍ରଦାନ କରି ଉଚିତ୍ ନିଷ୍ପତ୍ତି ନେବାରେ ସହାୟକ ହେଉଛି। ଏଗ୍ରୀଷ୍ଟାକ୍ ଡିଜିଟାଲ୍ କୃଷି ମିଶନର ଏକ ମୁଖ୍ୟ ଉପାଦାନ, ଯାହା ଚାଷୀମାନଙ୍କୁ ଜମି ରେକର୍ଡ, ପ୍ରାଣୀସମ୍ପଦ ମାଲିକାନା, ଚାଷ କରାଯାଇଥିବା ଫସଲ ଏବଂ ଉପଲବ୍ଧ ଲାଭ ସହିତ ଜଡିତ ଏକ ଅନନ୍ୟ ଡିଜିଟାଲ୍ ପରିଚୟ (କୃଷକ ଆଇଡି) ପ୍ରଦାନ କରେ। ଏହା ସୁରକ୍ଷିତ ଚିହ୍ନଟ ଏବଂ କୃଷି ସେବାର ପ୍ରବେଶକୁ ସକ୍ଷମ କରିଥାଏ। ୨୦୨୬-୨୭ ସୁଦ୍ଧା ୧୧ କୋଟି ଚାଷୀ ପରିଚୟପତ୍ରର ଲକ୍ଷ୍ୟ ରଖାଯାଇଥିବା ବେଳେ ୨୭ ନଭେମ୍ବର ୨୦୨୫ ସୁଦ୍ଧା ୭.୬୩ କୋଟିରୁ ଅଧିକ ପରିଚୟପତ୍ର ସୃଷ୍ଟି କରାଯାଇଛି। ଏଥିରେ ମହିଳା ଚାଷୀଙ୍କ ପାଇଁ ୧.୯୩ କୋଟି ପରିଚୟପତ୍ର ସାମିଲ ରହିଛି । ଏଗ୍ରୀଷ୍ଟାକ୍ ମଧ୍ୟ ମୋବାଇଲ ଆଧାରିତ ଡିଜିଟାଲ ଫସଲ ସର୍ବେକ୍ଷଣକୁ ସମର୍ଥନ କରୁଛି। ରବି ଋତୁ ୨୦୨୪-୨୫ରେ ୪୯୨ ଜିଲ୍ଲା ଏବଂ ୨୩.୫ କୋଟି ଜମିର ସର୍ବେକ୍ଷଣ କରାଯାଇଛି।
ଦେଶବ୍ୟାପୀ ମୃତ୍ତିକା ସମ୍ବଳ ମ୍ୟାପିଂ ପ୍ରକଳ୍ପ ଅଧୀନରେ ସେପ୍ଟେମ୍ବର ୨୦୨୪ ସୁଦ୍ଧା ୨୯ ନିୟୁତ ହେକ୍ଟର ଜମିର ମ୍ୟାପିଂ କରାଯାଇଛି। କୃଷି ଡିସିସନ ସପୋର୍ଟ ସିଷ୍ଟମ (କେଡିଏସଏସ) ବିଭିନ୍ନ ଉତ୍ସରୁ ତଥ୍ୟ ଏକୀକରଣ କରିବା ଫଳରେ ସରକାରୀ ଏଜେନ୍ସିଗୁଡ଼ିକୁ ଭରସାଯୋଗ୍ୟ, ବାସ୍ତବ ସୂଚନା ମିଳିପାରୁଛି। ୟେସଟେକ୍, କ୍ରପିକ୍, ଏବଂ ପିଏମଏଫବିୱାଇ ହ୍ୱାଟ୍ସଆପ ଚାଟବୋଟ୍ ଆଦି ପ୍ଲାଟଫର୍ମଗୁଡ଼ିକ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅନ୍ତର୍ଗତ ଫସଲ ବୀମାକୁ କୃଷକମାନଙ୍କ ଲାଗି ଅଧିକ ଅଭିନବ, ଦ୍ରୁତ ଏବଂ ଅଧିକ ସ୍ୱଚ୍ଛ କରିବା ପାଇଁ ଏଆଇ-ସକ୍ଷମ ଉପକରଣଗୁଡ଼ିକର ଉପଯୋଗ କରୁଛନ୍ତି । ଭାରତ ସରକାର କୃଷି ପ୍ରଯୁକ୍ତି ଷ୍ଟାର୍ଟଅପଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଏହି ଷ୍ଟାର୍ଟଅପଗୁଡ଼ିକ କୃଷି କ୍ଷେତ୍ରରେ ବିଭିନ୍ନ ଅଭିନବ ସମାଧାନ ଆଣୁଛନ୍ତି। ଜାନୁଆରୀ ୨୦୨୬ ସୁଦ୍ଧା ୬ହଜାରରୁ ଅଧିକ କୃଷି ଷ୍ଟାର୍ଟଅପକୁ ତାଲିମ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବା ସହିତ ୧୮୬ କୋଟିରୁ ଅଧିକ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି।