ହାଇ-ଟେକ୍ ମେଡିକାଲ କଲେଜରେ ୧୩ କେ.ଏଲ୍. ବିଶିଷ୍ଟ ତରଳ ଅମ୍ଳଜାନ ପ୍ଲାଣ୍ଟର ଶୁଭାରମ୍ଭ
ଜରୁରୀକାଳୀନ ପରିସ୍ଥିତିରେ ମେଡିକାଲ କଲେଜର ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବ
ଭୁବନେଶ୍ୱର, ୧୪/୦୪: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସପିଟାଲ୍ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ହାଇ-ଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଏକ ୧୩ କେ.ଏଲ୍. କ୍ଷମତା ବିଶିଷ୍ଟ ତରଳ ଅମ୍ଳଜାନ ପ୍ଲାଣ୍ଟ ଉଦଘାଟିତ ହୋଇଛି। ଏହି ଅବସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ହାଇ-ଟେକ୍ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ଲାଣ୍ଟର ଶୁଭ ଉଦଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ହାଇ-ଟେକ୍ ଗ୍ରୁପର ମ୍ୟାନେଜିଂ ଟ୍ରଷ୍ଟି ତଥା ସି.ଇ.ଓ ଶ୍ରୀ ସୁରେଶ କୁମାର ପାଣିଗ୍ରାହୀ ଏବଂ ଟ୍ରଷ୍ଟି ଡାକ୍ତର ରାକେଶ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏହି ନୂତନ ଅମ୍ଲଜାନ ପ୍ଲାଣ୍ଟ ଦ୍ୱାରା ରୋଗୀମାନଙ୍କୁ ନିରନ୍ତର ଏବଂ ଉନ୍ନତ ମାନର ଅମ୍ଳଜାନ ସେବା ଯୋଗାଇଦେବା ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଡକ୍ଟର ତିରୁପତି ପାଣିଗ୍ରାହୀ। ଏହି ନୂତନ ପ୍ଲାଣ୍ଟ ପ୍ରତିଷ୍ଠା ହେବା ଫଳରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ସୁବିଧାରେ ଅମ୍ଳଜାନ ଯୋଗାଇ ଦିଆଯାଇପାରିବ । ବିଶେଷ କରି ଜରୁରୀକାଳୀନ ପରିସ୍ଥିତିରେ ଏହା ମେଡିକାଲ କଲେଜର ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ କହିଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହସ୍ପିଟାଲର ସିଓଓ ଜ୍ୟୋର୍ତୀମୟ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଡାକ୍ତର, କର୍ମଚାରୀ ଏବଂ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।