ନୀତିଶଙ୍କୁ ଗାଦିଚ୍ୟୁତ କରିବାକୁ ପ୍ରତିଜ୍ଞା କରିଥିବା ବ୍ୟକ୍ତି ଆଜି ମୁଖ୍ୟମନ୍ତ୍ରୀ
ଐତିହାସିକ ପରିବର୍ତ୍ତନ! ବିହାର ରାଜନୀତିରେ ନୂଆ ଅଧ୍ୟାୟ
ନୀତିଶ ପଦରୁ ନ ହଟିବା ଯାଏଁ ପଗଡ଼ି ଖୋଲିବେ ନାହିଁ ବୋଲି ନେଇଥିଲେ ଶପଥ
ପାଟନା, ୧୪/୦୪: ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଜନତା ଦଳ ୟୁନାଇଟେଡ୍ ମୁଖ୍ୟ ନୀତିଶ କୁମାରଙ୍କ ସ୍ଥାନରେ ଭାରତୀୟ ଜନତା ପାର୍ଟିର ସମ୍ରାଟ ଚୌଧୁରୀଙ୍କୁ ମନୋନୀତ କରାଯାଇଛି।
ନୀତିଶ କୁମାର ୫୦ ବର୍ଷରୁ ଅଧିକ ସମୟ ଧରି ବିହାର ରାଜନୀତିରେ ନିଜର ଦବଦବା ରଖିଛନ୍ତି। ୧୯୭୪ ମସିହାରେ ଜନତା ଦଳରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ନୀତିଶ ୧୪ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ସମୟରେ ୭୫ ବର୍ଷ ବୟସରେ ବି ନିଜକୁ ଜଣେ ‘ସୁଶାସନ ବାବୁ’ ଭାବେ ପରିଚୟ ଜାରି ରଖିଛନ୍ତି। ନୀତିଶ ରେକର୍ଡ ୧୦ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଯାହା ବିହାର ରାଜନୀତିରେ ରେକର୍ଡ଼ କରିଛି।
ତେବେ ସମ୍ରାଟ ଚୌଧୁରୀ କିଏ?
୧୬ ନଭେମ୍ବର ୧୯୬୮ରେ ମୁଙ୍ଗେର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ସମ୍ରାଟ ଚୌଧରୀଙ୍କର ପିତା ଶକୁନି ଚୌଧୁରୀ ତାରାପୁର ନିର୍ବାଚନମଣ୍ଡଳୀରୁ ଛଅ ଥର ବିଧାୟକ ଥିଲେ। ତାଙ୍କ ମାଆ ପାର୍ବତୀ ଦେବୀ ୧୯୯୮ ମସିହାରେ ବର୍ତ୍ତମାନ ବନ୍ଦ ହୋଇଥିବା ସମତା ପାର୍ଟି ପାଇଁ ସମାନ ଆସନରୁ ଜିତିଥିଲେ। ସମ୍ରାଟ ୨୦୨୫ ନିର୍ବାଚନରେ ପରିବାରର ଗଡ଼ ତାରାପୁରର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ୫୭ ବର୍ଷ ବୟସ୍କ ସମ୍ରାଟ ଚୌଧୁରୀ ୧୯୯୦ ମସିହାରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।
୧୯୯୯ ମସିହାରେ ଯେତେବେଳେ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବରୀ ଦେବୀ ସରକାରର ନେତୃତ୍ୱ ନେଇଥିଲେ ଏବଂ ବିଜେପି ସହ ମେଣ୍ଟ ଥିଲା, ସେ ସମୟରେ ସେ କୃଷି ମନ୍ତ୍ରୀ ହୋଇଥିଲେ। ୨୦୦୦ ଏବଂ ୨୦୧୦ ନିର୍ବାଚନରେ ସେ ପାର୍ବତ୍ତ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।
ସମ୍ରାଟ ଚୌଧୁରୀ ମାର୍ଚ୍ଚ ୨୦୨୩ରୁ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ବିଜେପିର ବିହାର ୟୁନିଟ୍ ମୁଖ୍ୟ ଭାବରେ ଏବଂ ରାଜ୍ୟର କ୍ରୀଡା, ଅର୍ଥ, ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
ସମ୍ରାଟ ଚୌଧୁରୀ କାହିଁକି?
୨୦୨୩ ମସିହାରେ ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ନିର୍ବାଚନରେ ବିଜୟୀ ହେବା ପରେ ଜାତି ବର୍ଗକୁ ନେଇ ନେତା ବାଛିଥିଲା। ଯାହା ସଠିକ୍ ସାବ୍ୟସ୍ତ ହୋଇଥିଲା।
ମଧ୍ୟପ୍ରଦେଶରେ, ଯାଦବ, ବ୍ରାହ୍ମଣ ଏବଂ ଦଳିତ ସମ୍ପ୍ରଦାୟର ନେତାଙ୍କୁ ନେଇ ସରକାର ଗଠନ କରାଯାଇଥିଲା। ସେହିପରି, ଛତିଶଗଡ଼ ଏବଂ ରାଜସ୍ଥାନରେ, ଯେଉଁଠାରେ ଆଦିବାସୀ ସମ୍ପ୍ରଦାୟ ଏବଂ ବ୍ରାହ୍ମଣ ଜନସଂଖ୍ୟାର ଏକ ବଡ଼ ଭାଗ ରୁହନ୍ତି, ସେଠାରେ ମଧ୍ୟ ବିଜେପି ସେହି ସମ୍ପ୍ରଦାୟର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲା। ତେଣୁ ଏଠାରେ ମଧ୍ୟ ସେହି ଫର୍ମୁଲା ଆପଣାଇଛି ବିଜେପି।
୨୦୨୩ ମସିହାରେ ହୋଇଥିବା ଜାତି ସର୍ଭେ ଅନୁଯାୟୀ, ସମ୍ରାଟ କୁଶୱାହା ପରିବାରରୁ ଆସିଛନ୍ତି, ଯାହା ରାଜ୍ୟର ଜନସଂଖ୍ୟାର ୪.୩ ପ୍ରତିଶତ। କୁଶୱାହାମାନେ ବିହାରରେ ଯାଦବ ସମ୍ପ୍ରଦାୟ ପରେ ସବୁଠାରୁ ବଡ଼ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ସମ୍ପ୍ରଦାୟ। ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବ ମଧ୍ୟ ଏହି ସମ୍ପ୍ରଦାୟର।
ପଗଡ଼ି ପ୍ରତିଶ୍ରୁତି:-
୨୦୨୩ ମସିହାରେ ସମ୍ରାଟ ଚୌଧୁରୀ ଏକ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ପଗଡ଼ି ସାମିଲ ଥିଲା। ଏହା ପୂର୍ବ ବର୍ଷ ନୀତିଶ କୁମାର ଆରଜେଡି ନେତୃତ୍ୱାଧୀନ ବିରୋଧୀ ମେଣ୍ଟରେ ଯୋଗଦେବା ପରେ ସମ୍ରାଟ ପଗଡ଼ି ପିନ୍ଧିବା ଆରମ୍ଭ କରିଥିଲେ। ଏପରିକି ସେ ପ୍ରତିଶ୍ରୁତି ଦେଇଥିଲେ ଯେ ନୀତିଶଙ୍କୁ ‘ଗାଦିଚ୍ୟୁତ’ କରିବା ପରେ ହିଁ ସେ ତାଙ୍କର ପଗଡ଼ି ଖୋଲିବେ। ଅବଶ୍ୟ ଗୋଟିଏ ବର୍ଷ ପରେ, ସେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ସେହି ପଗଡ଼ିଟିକୁ ଖୋଲି ଭଗବାନ ରାମଙ୍କୁ ଅର୍ପଣ କରିଥିଲେ।
ସେହି ସମୟରେ ସେ କହିଥିଲେ ଯେ, ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପର୍ଯ୍ୟନ୍ତ ମୁଁ ପଗଡ଼ି ପିନ୍ଧିବାକୁ ପ୍ରତିଜ୍ଞା କରିଥିଲି.. କିନ୍ତୁ ଏବେ ସେ ଏନଡିଏ (ବିଜେପି ନେତୃତ୍ୱାଧୀନ ମେଣ୍ଟ)କୁ ଫେରି ଯାଇଛନ୍ତି। ତେଣୁ ପ୍ରଭୁ ରାମଙ୍କ ପାଦରେ ଏହି ପଗଡ଼ି ଉତ୍ସର୍ଗ କରିବାର ସମୟ ଆସିଛି।”
ତେବେ ବିହାରରେ ବିଜେପି ସରକାର ଗଢ଼ିବା ଇତିହାସରେ ଏକ ବଡ଼ ଅଧ୍ୟାୟ ହେବ।