ସୟାଁ ଗ୍ରାମରେ ହନୁମାନ ଜୟନ୍ତୀ ମହୋତ୍ସବ

ଆଧ୍ୟାତ୍ମିକ ପରିବେଶରେ ଝୁମିଲେ ଶ୍ରଦ୍ଧାଳୁ

ବରଗଡ଼, ୧୪/୦୪: ବରଗଡ଼ ଉପକଣ୍ଠସ୍ଥ ସୟାଁ ଗ୍ରାମରେ ପବିତ୍ର ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଗ୍ରାମର ଶ୍ରୀ ଶ୍ରୀ ହନୁମାନ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।

ଏହି ପୂଜା କାର୍ଯ୍ୟ ପଣ୍ଡିତ ଗିରିଧାରୀ ମିଶ୍ରଙ୍କ ସୁଚାରୁ ପୌରୋହିତ୍ୟରେ ସମ୍ପନ୍ନ ହୋଇଥିଲା। ମନ୍ଦିରର ମୁଖ୍ୟ ପୂଜକ ଅଶ୍ୱିନୀ ଦେବତାଙ୍କ ତତ୍ତ୍ୱାବଧାନରେ ପ୍ରଭୁଙ୍କ ନୀତିକାନ୍ତି ଓ ବିଶେଷ ଆଳତି ଅନୁଷ୍ଠିତ ହୋଇଥିଲା। ଏହି ଧାର୍ମିକ ଅନୁଷ୍ଠାନରେ କର୍ତ୍ତା ଭାବେ ଖାରବେଳ ଖମାରି, ଅଶୋକ ବାରିକ, ଆକୁଳ ସେପାଲ, ଚୋଳଗଙ୍ଗ ଖମାରି, ବିଷିକେଶନ ସାହୁ, ଗୁଲସନ ପଣ୍ଡା ପ୍ରମୁଖ ନିଷ୍ଠାର ସହ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।

ସଂକୀର୍ତ୍ତନ ଓ ଗ୍ରାମବାସୀଙ୍କ ସହଯୋଗ ହନୁମାନ ଜୟନ୍ତୀ ଅବସରରେ ସୟାଁ ଗ୍ରାମର ସଂକୀର୍ତ୍ତନ ଦଳଙ୍କ ଦ୍ୱାରା ପରିବେଷିତ ଭକ୍ତି ସଙ୍ଗୀତ ଗ୍ରାମବାସୀଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ମହାବୀରଙ୍କ ଜୟଗାନରେ ଗ୍ରାମର ବାତାବରଣ ପ୍ରକମ୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଗ୍ରାମବାସୀ ସକ୍ରିୟ ଭାବେ ସହଯୋଗ କରିଥିଲେ। ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ।