ବେକ କାଟି ଛାତ୍ରୀଙ୍କୁ ହତ୍ୟା ଉଦ୍ୟମ

କଲେଜ ଯିବା ବାଟରେ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ଗୋପ, ୦୬/୦୩: ଯୁକ୍ତ ଦୁଇ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ। ବ୍ଲେଡ୍ ରେ‌‌ କାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ।

ଯୁକ୍ତ ୨ ପରୀକ୍ଷା ଦେବାକୁ ଗୋପ କଲେଜ ଯାଉଥିବା ବେଳେ ଜଣେ ଛାତ୍ରୀଙ୍କୁ ବ୍ଲେଡରେ ମରଣାନ୍ତକ ଆକ୍ରମଣ କରାଯାଇଛି।

ସକାଳ ପ୍ରାୟ ୮ଟା ବେଳେ ଛାତ୍ରୀ ଜଣକ ପରୀକ୍ଷା ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ। ଏହି ସମୟ ମଧ୍ୟରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ଗୋପ ପୋଲିସ ତଦନ୍ତ ଆରମ୍ଭ କରିଛି, କିନ୍ତୁ ଆକ୍ରମଣ ପଛର ଉଦ୍ଦେଶ୍ୟ ଅସ୍ପଷ୍ଟ ରହିଛି। ଗୋପ ଥାନା ଅନ୍ତର୍ଗତ ନିର୍ଜନ ନାଗପୁର-ମୁଗୁରିଆ ରାସ୍ତାରେ ଏହି ଘଟଣା ଘଟିଛି। ପୀଡିତାଙ୍କ ବେକ ଏବଂ ଶରୀରରେ ଗଭୀର ଆଘାତ ଲାଗିଛି ଏବଂ ସେ ବର୍ତ୍ତମାନ ଗୋପ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।