ଭାରତକୁ ମିଳିଲା ବଡ଼ ଆଶ୍ୱସ୍ତି; କଟକଣା କୋହଳ କଲା ଆମେରିକା

ପୂର୍ବରୁ ଭାରତ ପାଇଁ ହର୍ମୁଜ ଖୋଲା ବୋଲି ଘୋଷଣା କରିଥିଲା ଇରାନ

ନୂଆଦିଲ୍ଲୀ, ୦୬/୦୩: ଭାରତ ପାଇଁ କଟକଣା କୋହଳ‌ କଲା ଆମେରିକା। ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ଭାରତ ପାଇଁ ବଡ଼ ଘୋଷଣା କରିଛି ଆମେରିକା। ଭାରତ ରୁଷ ଠାରୁ ତୈଳ କ୍ରୟ କରିପାରିବ। ମଝି ସମୁଦ୍ରରେ ଅଟକିଥିବା ରୁଷ ତେଲ ଜାହାଜ ଭାରତକୁ ଆସିପାରିବ। ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ରୁପ ଉପରେ ଚାପ ପ୍ରୟୋଗ କରିବା ପାଇଁ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ରୁଷ ଠାରୁ ତେଲ କିଣିବା ନେଇ ଚାପ ପକାଇଥିଲା। ଭାରତ ରୁଷ ଠାରୁ ତେଲ କିଣିଲେ ଭାରୀ ଶୁଳ୍କ ଦେବାକୁ ପଡ଼ୁଥିଲା।

ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସାଣ୍ଟ ଘୋଷଣା କରିଛନ୍ତି ଯେ ବିଶ୍ୱ ତୈଳ ଯୋଗାଣରେ ନିରବଚ୍ଛିନ୍ନତା ବଜାୟ ରଖିବା ପାଇଁ ଭାରତୀୟ ରିଫାଇନାରୀଗୁଡ଼ିକୁ ରୁଷୀୟ ଅଶୋଧିତ ତୈଳ ଓ ପେଟ୍ରୋଲିୟମ କ୍ରୟ କରିବାକୁ ଅସ୍ଥାୟୀ ଭାବେ ୩୦ ଦିନର କଟକଣା କୋହଳ କରାଯାଉଛି। ଏହି ଛାଡ଼ ବିଶେଷ ଭାବରେ ୫ ମାର୍ଚ୍ଚ, ୨୦୨୬ ପର୍ଯ୍ୟନ୍ତ ସମୁଦ୍ରରେ ଫସି ରହିଥିବା ଜାହାଜରେ ଲୋଡ୍ ହୋଇଥିବା ତେଲ ପାଇଁ ପ୍ରଯୁଜ୍ୟ ହେବ।”

ବେସାଣ୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ଏକ ଷ୍ଟପ୍-ଗ୍ୟାପ୍ ପଦକ୍ଷେପ ଯାହା ରୁଷ ସରକାରଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ପ୍ରଦାନ କରିବ ନାହିଁ, କାରଣ ଏହା କେବଳ ପ୍ରିଲୋଡେଡ୍ ଏବଂ ଫସି ରହିଥିବା ତେଲର ବିତରଣକୁ କଭର୍ କରେ। ବେସାଣ୍ଟ ଆହୁରି କହିଛନ୍ତି, “ଏହି ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ଇରାନର ବିଶ୍ୱ ଶକ୍ତି ଯୋଗାଣକୁ ବନ୍ଧକ ରଖିବାର ପ୍ରୟାସରୁ ଚାପ କମ କରିବାରେ ସାହାଯ୍ୟ କରିବ। ଭାରତ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର, ଏବଂ ଆମେ ସମ୍ପୂର୍ଣ୍ଣ ଆଶା କରୁଛୁ ଯେ ନୂଆଦିଲ୍ଲୀ ଆମେରିକାରୁ ତେଲ କ୍ରୟ ବୃଦ୍ଧି କରିବ।”

ଆମେରିକାର ପୂର୍ବରୁ ରୁଷ ଉପରେ ଅତ୍ୟନ୍ତ କଠୋର‌ କଟକଣା ଲାଗୁ କରିଛି। କିନ୍ତୁ ବର୍ତ୍ତମାନର ଭୂରାଜନୈତିକ ସଙ୍କଟ ସମୟରେ ଏହି ଘୋଷଣା କରିବା ଦ୍ୱାରା ଭାରତକୁ ଆଶ୍ୱସ୍ତି ପ୍ରଦାନ କରିଛି। ଟ୍ରେଜେରୀ ବିଭାଗ ପକ୍ଷରୁ ଏହି ଛାଡ଼ ପରେ ଭାରତୀୟ ରିଫାଇନାରୀଗୁଡ଼ିକ ଯେପରିକି IOC, BPCL, HPCL, ଇତ୍ୟାଦି ଫସି ରହିଥିବା ରୁଷୀୟ ଅଶୋଧିତ ତୈଳ କ୍ରୟ ଜାରି ରଖିପାରିବେ, ଯାହା ତୈଳ ମୂଲ୍ୟ ଉପରେ ଅତିରିକ୍ତ ଚାପ ହ୍ରାସ କରିପାରେ ଏବଂ ଘରୋଇ ଇନ୍ଧନ ଯୋଗାଣକୁ ପ୍ରଭାବିତ କରିପାରିବ ନାହିଁ।

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ସହିତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଥିଲା ଇରାନ। ଯାହା ବିଶ୍ୱ ତୈଳ ଯୋଗାଣ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଯଦିଓ ପରେ ଇରାନ ଘୋଷଣା କରିଥିଲା ଯେ, ଏହି ସାମୁଦ୍ରିକ ମାର୍ଗ କେବଳ ଆମେରିକା, ୟୁରୋପ ଓ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ପାଇଁ ବନ୍ଦ ରହିବ। ଏହା ବ୍ୟତୀତ ଅନ୍ୟ ରାଷ୍ଟ୍ର ଏହି ମାର୍ଗ ଦେଇ ପରିବହନ କରିପାରିବେ। ତେଣୁ ଭାରତ ପାଇଁ ମଧ୍ୟ ହର୍ମୁଜ ପ୍ରଣାଳୀ ଖୋଲା ବୋଲି ଘୋଷଣା କରିଥିଲା ଇରାନ। ଇରାନ ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ, କୁଏତ, କତାର, ସାଉଦି ଆରବ, ଜୋର୍ଡାନ, ଇରାକ ଏବଂ ସିରିଆ ସମେତ ପଡ଼ୋଶୀ ଦେଶଗୁଡ଼ିକରେ ଥିବା ଆମେରିକୀୟ ସମ୍ପତ୍ତିକୁ ଟାର୍ଗେଟ କରି ଏହି କଟକଣା ଲାଗୁ କରିଥିଲା। ସୂଚନାଯୋଗ୍ୟ, ହର୍ମୁଜ ପ୍ରଣାଳୀ ନିକଟରେ ପ୍ରାୟ ୩୬ଟି ଭାରତୀୟ ଜାହାଜ ଅଟକି ରହିଛି।