ଆଜି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି । ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଥିବାରୁ ଆଜି ପୟାଶ୍ରାଦ୍ଧ ସହ ବଡବଡୁଆ ଡକାଯିବ। କାଳୀ ପୂଜା ମଧ୍ୟ ହେବ। କରୋନା କଟକଣା ପାଇଁ ୨ ବର୍ଷ ହେଲା ଫିକା ପଡିଥିବା ଦୀପାବଳି ଏବର୍ଷ ବେଶ୍ ଜମିବ । ଆଜି ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ ଦେବା ସହ ବଡବଡୁଆ ଡାକିବେ ଶ୍ରଦ୍ଧାଳୁ ।

ଦୀପାବଳୀରେ ପୁରୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ସେହିପରି ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି। ବିନ୍ଦୁ ସାଗରରେ ମଧ୍ୟ ପୟା ଶ୍ରାଦ୍ଧ ପାଇଁ ଲୋକଙ୍କ ଭିଡ଼ ଜମିଛି । ସେପଟେ ବାଣ ବଜାରରେ ଗତକାଲି ଦିନତମାମ ଗରାଖଙ୍କ ଗହଳି ଲାଗିଥିବା ବେଳେ ଆଜି ବି ଜମିବ ବ୍ୟବସାୟ ।

ଟୁଇନ୍ ସିଟିରେ ମାତ୍ର ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି । ଲୋକେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇ ପାରିବେ। ୨୫ ଡେସିବଲ୍ ରୁ ଅଧିକ ଶଦ୍ଦ କରୁଥିବା ବାଣ ଫୁଟାଇବା ଉପରେ ରୋକ୍ ଲାଗିଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ବାଣ ଫୁଟାଇବା ଉପରେ କଟକଣା ଲାଗିଛି । ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏବର୍ଷ ତାଳ ଫୋଟକା ଝୁରଝୁରି, ରକେଟ, ଧପଧପି, କୁମ୍ପି, ଲଙ୍କାବାଣ ଦର ୪୦ ପ୍ରତିଶତ ଅଧିକ ରହିଛି ।