କଂଗ୍ରେସରୁ ସଂଘ ପର୍ଯ୍ୟନ୍ତ – ଡ. ହେଡ଼ଗେୱାରଙ୍କ ବୈପ୍ଳବିକ ରାଜନୈତିକ ଯାତ୍ରା ଓ ବୈଶ୍ୱିକ ଦୃଷ୍ଟିକୋଣ

ଡାକ୍ତରୀ ପଦ ପରିତ୍ୟାଗ କରି ରାଷ୍ଟ୍ର ସେବା

ଭାରତୀୟ ସାମାଜିକ, ରାଜନୀତିକ, ଶୈକ୍ଷିକ ଓ ସାଂସ୍କୃତିକ ଜଗତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ତା’ର ଲକ୍ଷ୍ୟ-ସିଦ୍ଧାନ୍ତ-କାର୍ଯ୍ୟପଦ୍ଧତି ଆଜି ବହୁଚର୍ଚ୍ଚିତ । କୌଣସି ସଂଗଠନର ସାମାଜିକଦର୍ଶନ, ରାଜନୀତିକ ଦୃଷ୍ଟିକୋଣ, ସଂଗଠନାତ୍ମକ ସଂସ୍କୃତିକୁ ହୃଦ୍‌ବୋଧ କରିବା ପାଇଁ ସେହି ସଂଗଠନର ପ୍ରତିଷ୍ଠାତାଙ୍କ ଜୀବନୀ ଓ ବୈଚାରିକଦିଗକୁ ଜାଣିବା ଆବଶ୍ୟକ  । ସଂଘ ତା’ର ସମକାଳୀନ ହିନ୍ଦୁ ସଂଗଠନ ଠାରୁ କିପରି ଭିନ୍ନ ଥିଲା, ତା’ର ବୈଚାରିକ ପୃଷ୍ଠଭୂମି ଓ ବୈଶ୍ୱିକ ଦୃଷ୍ଟିକୋଣର ମର୍ମକୁ ଡ. ହେଡ଼ଗେୱାରଙ୍କ ଜୀବନୀ ପ୍ରସଙ୍ଗ ଓ ସମଗ୍ର ଦୃଷ୍ଟିକୋଣ ନ ଜାଣିଲେ ହୃଦୟଙ୍ଗମ କରିହେବ ନାହିଁ  । ଡ. ହେଡ଼ଗେୱାରଙ୍କ ସମ୍ବନ୍ଧରେ ମଧ୍ୟ ବିଭିନ୍ନ ପ୍ରକାର ଭ୍ରାନ୍ତଧାରଣା ସୃଷ୍ଟି ହୋଇଛି  । ତନ୍ମଧ୍ୟରୁ ତାଙ୍କର ସ୍ୱାଧୀନତା ସଂଗ୍ରାମରେ ଅଲିପ୍ତ ରହିବା ମୁଖ୍ୟ ବିଷୟ  । ଏହା ବାସ୍ତବରେ ସଂଘ ପ୍ରତି ଅସୂୟା ପ୍ରଣୋଦିତ ହୋଇଥିବା ବ୍ୟକ୍ତିମାନଙ୍କ ଅପପ୍ରଚାର  ।

ଡ. ହେଡ଼ଗେୱାର ୧୮୮୯ ମସିହା ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ଏପ୍ରିଲ-୧ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ଜନ୍ମଗ୍ରହଣ କରିଥିଲେ  । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ବନ୍ଦେ ମାତରମ୍ ଆନ୍ଦୋଳନରେ ସକ୍ରିୟ ହୋଇ ବିଦ୍ୟାଳୟରୁ ବିତାଡ଼ିତ ହୋଇଥିଲେ  । ପରେ ସେ କୋଲକାତାଠାରେ ଡାକ୍ତରୀ ବିଦ୍ୟା ଶିକ୍ଷା କରୁଥିବା ସମୟରେ ବିଶିଷ୍ଟ ବୈପ୍ଳବିକ ସଂଗଠନ ‘ଅନୁଶୀଳନ ସମିତି’ର ସକ୍ରିୟ ସଦସ୍ୟ ହୋଇଥିଲେ  । ନିଜର ଛଦ୍ମନାମ ‘କୋକେନ’ ରଖି ସେ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ କରିଥିଲେ  । ୧୯୧୪ ମସିହାରେ ସେ କୃତିତ୍ୱର ସହିତ ଏମ.ବି.ବି.ଏସ ଉତ୍ତୀର୍ଣ୍ଣ ହୋଇଥିଲେ  । ଢାକାଠାରେ ତାଙ୍କୁ ସରକାରୀ ଡାକ୍ତର ପଦବୀ ପାଇଁ ନିଯୁକ୍ତି ପତ୍ର ଆସିଥିଲା  । ତାହାକୁ ସେ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ସମାଜ ସୁଧାର ଓ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ  । ଡା. ହେଡ଼ଗେୱାର ନାଗପୁରକୁ ପ୍ରତ୍ୟାବର୍ତ୍ତନ କରି ତତ୍କାଳୀନ ଜାତୀୟ କଂଗ୍ରେସର ସଦସ୍ୟ ଓ କାର୍ଯ୍ୟକର୍ତ୍ତା ହୋଇ କାର୍ଯ୍ୟ କରିଥିଲେ  । ୧୯୨୦ ମସିହା ଡିସେମ୍ବର ୨୦ ତାରିଖରେ କଂଗ୍ରେସର ବିଂଶତିତମ ଅଧିବେଶନ ନାଗପୁର ଠାରେ ହୋଇଥିଲା  । ସେହିବର୍ଷ ଅଗଷ୍ଟ-୧ ତାରିଖରେ ମହାରାଷ୍ଟ୍ରର ଅଦ୍ୱିତୀୟ କଂଗ୍ରେସ ନେତା ବାଳଗଙ୍ଗାଧର ତିଳକଙ୍କ ଦେହାନ୍ତ ହୋଇଥିଲା  । ତିଳକଙ୍କ ପରି ଜଣେ ବୈପ୍ଳବିକ ନେତା କଂଗ୍ରେସର ସଭାପତି ଆସନ ଅଳଂକୃତ କରନ୍ତୁ, ଏହା ଡା. ହେଡ଼ଗେୱାରଙ୍କ ଇଚ୍ଛା ଥିଲା  । ଏଣୁ ସେ ନାଗପୁର କଂଗ୍ରେସରେ ସହଯୋଗୀ ଅରବିନ୍ଦଙ୍କୁ କଂଗ୍ରେସର ଅଧ୍ୟକ୍ଷ ପଦଭାର ଅଳଂକୃତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ  । ସମସ୍ତେ ଏହାକୁ ଅନୁମୋଦନ କରିଥିଲେ  । ଡା. ହେଡ଼ଗେୱାର ଓ ଡ. ମୁଞ୍ଜେ ପଣ୍ଡିଚେରୀ ଆଶ୍ରମ ଯାଇଁ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ୍ କରି କଂଗ୍ରେସର ପଦଭାର ଅଳଂକୃତ କରିବା ପାଇଁ ଅନୁରୋଧ କରିଥିଲେ  । ୧୯୧୦ ମସିହାରୁ ଶ୍ରୀଅରବିନ୍ଦ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇ ପଣ୍ଡିଚେରୀଠାରେ ସାଧନା କରୁଥିଲେ । ସେ ପୁନଃ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଯଦି ଶ୍ରୀ ଅରବିନ୍ଦ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତେ ତେବେ କଂଗ୍ରେସର ଦୃଶ୍ୟପଟ ପରିବର୍ତ୍ତନ ହୋଇଥାଆନ୍ତା  । ନାଗପୁର କଂଗ୍ରେସ ଅଧିବେଶନରେ ଡା. ହେଡ଼ଗେୱାର ପ୍ରସ୍ତାବ ସମିତିର ସଦସ୍ୟ ଥିଲେ  । ସେ ଦୁଇଟି ପ୍ରସ୍ତାବ ଆଗତ କରିବା ପାଇଁ ପ୍ରଚେଷ୍ଟା କରିଥିଲେ  । ପ୍ରଥମରେ ଇଂରେଜ କବଳରୁ ଭାରତକୁ ମୁକ୍ତ କରି ଗଣତନ୍ତ୍ର ପ୍ରତିଷ୍ଠା କରିବା ଓ ଦ୍ୱିତୀୟରେ ସମଗ୍ର ବିଶ୍ୱରେ ପୁଞ୍ଜିବାଦ ସମାପ୍ତ କରିବା; କିନ୍ତୁ ଦୁର୍ଭାଗ୍ୟର କଥା ଏହି ଦୁଇଟି ପ୍ରସ୍ତାବକୁ କଂଗ୍ରେସର କାର୍ଯ୍ୟ ସମିତି ସ୍ୱୀକାର କରିନଥିଲା  ।

୧୯୨୧ ମସିହାରେ ଇଂରେଜମାନେ ଡା. ହେଡ଼ଗେୱାରଙ୍କୁ ରାଜଦ୍ରୋହ ଅପରାଧରେ ଗିରଫ କରିଥିଲେ  । ତାଙ୍କ ଉପରେ ଫୌଜଦାରୀ ଦଣ୍ଡ ସଂହିତା ଧାରା ୧୦୮ ଅନ୍ତର୍ଗତ ମୋକଦ୍ଦମା ରୁଜୁ କରାଯାଇଥିଲା  । କଂଗ୍ରେସର ବିଦର୍ଭ ପ୍ରାନ୍ତର ସାଧାରଣ ସମ୍ପାଦକ ରୂପେ ସେ ଇଂରେଜ ବିରୋଧରେ ସାଧାରଣ ସଭାଗୁଡ଼ିକରେ ଯେଉଁ ଭାଷଣ ଦେଇଥିଲେ ତାହା ରାଜଦ୍ରୋହ ରୂପେ ପରିଗଣିତ ହୋଇଥିଲା  । ନ୍ୟାୟାଳୟରେ ସେ କୌଣସି ଓକିଲ ନିଯୁକ୍ତ ନକରି ନିଜେ ଜବାବ ସୁଆଲ କରିଥିଲେ । ବିଚାରପତି ସ୍କେଲିଙ୍କ ଅଦାଲତରେ ସେ ନିଜ ସପକ୍ଷରେ ଯୁକ୍ତି ରଖି ଇଂରେଜମାନଙ୍କ ବିରୋଧରେ ଯେଉଁ ଘୋର କଟାକ୍ଷ କରିଥିଲେ, ତାହା ଶୁଣି ବିଚାରପତି ସ୍କେଲି ଚକିତ ହୋଇଯାଇଥିଲେ  । ଇଂରେଜ ବିଚାରପତି ନିଜ ରାୟରେ ଘୋଷଣା କରିଥିଲେ ଯେ ଡା. ହେଡ଼ଗେୱାରଙ୍କ ଭାଷଣ ଶୁଣିବା ପରେ ମନେ ହେଉଛି ତାଙ୍କ ବିରୋଧରେ ରାଜଦ୍ରୋହ ମୋକଦ୍ଦମା ରୁଜୁ ହେବା ଯଥାର୍ଥ  । ଏଣୁ ସେ ଅଗଷ୍ଟ-୧୯ ତାରିଖରେ ଡା. ହେଡ଼ଗେୱାରଙ୍କୁ ଏକବର୍ଷ ସଶ୍ରମ କାରାବାସ ଦଣ୍ଡଘୋଷଣା କରିଥିଲେ  । ଡା. ହେଡ଼ଗେୱାର ମଧ୍ୟପ୍ରାନ୍ତର ତତ୍କାଳୀନ ସମସ୍ତ ବିଚାର ପ୍ରବାହରେ ସକ୍ରିୟ ଅଂଶଗ୍ରହଣ କରିଥିଲେ  । ୧୯୨୪ ମସିହାରେ ସେ ନାଗପୁରରୁ ‘ସ୍ୱାତନ୍ତ୍ର’ ନାମକ ପତ୍ରିକାର ସମ୍ପାଦକ ରୂପେ ନିଯୁକ୍ତ ହୋଇଥିଲେ  । ତାଙ୍କର ସମ୍ପାଦନାରେ ‘ସ୍ୱାତନ୍ତ୍ର’ ପତ୍ରିକାରେ ବିପ୍ଳବୀମାନଙ୍କୁ ପ୍ରଶଂସା ଓ ଇଂରେଜମାନଙ୍କ ଅତ୍ୟାଚାରର କାହାଣୀ ନିୟମିତ ପ୍ରକାଶ ପାଇଲା  । ଫଳରେ ‘ସ୍ୱାତନ୍ତ୍ର’ ଇଂରେଜମାନଙ୍କ କୋପ ଦୃଷ୍ଟିର ଶିକାର ହେଲା  । ସମ୍ବାଦପତ୍ର କାର୍ଯ୍ୟାଳୟକୁ ସିଲ୍ କରିଦିଆଗଲା; କିନ୍ତୁ ନାଗପୁରର ଜନସାଧାରଣ ଡା. ହେଡ଼ଗେୱାରଙ୍କୁ ସାଲିସବିହୀନ ନେତା ଓ ସାମ୍ରାଜ୍ୟବାଦ ବିରୋଧୀ ପ୍ରଖର ପ୍ରବକ୍ତା ଭାବେ ପରିଗଣିତ କରୁଥିଲେ  ।

୧୯୨୫ ମସିହା ବିଜୟାଦଶମୀ ତିଥିରେ ଡା. ହେଡ଼ଗେୱାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା କରିଥିଲେ  । ବହୁ ସାମାଜିକ-ରାଜନୀତିକ-ସାଂସ୍କୃତିକ ସଂଗଠନର କାର୍ଯ୍ୟକର୍ତ୍ତା ହୋଇ ସେ ଅନୁଭବ କରିଥିଲେ ଯେ ବ୍ୟକ୍ତି ରାଷ୍ଟ୍ରର ପ୍ରଥମ ଘଟକ  । ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ମନରେ ରାଷ୍ଟ୍ରପ୍ରେମର ପବିତ୍ର ଭାବନା ଉଦ୍ରେକ ନ ହେବ, ସେ ପର୍ଯ୍ୟନ୍ତ ବିଶୁଦ୍ଧ ରାଷ୍ଟ୍ରୀୟତାର କଳ୍ପନା କରିହେବ ନାହିଁ  । ବ୍ୟକ୍ତି ଚରିତ୍ରବାନ୍ ଓ ସଂସ୍କାରଯୁକ୍ତ ହେଲେ ରାଷ୍ଟ୍ର ସୁଦୃଢ଼ ହେବ  । ଦେଶରେ ସାଂସ୍କୃତିକ ରାଷ୍ଟ୍ରବାଦର ବହୁ ଚିନ୍ତକ, ମହାନ୍ ଭାରତୀୟ ଚିନ୍ତନ ପରମ୍ପରା ଓ ଜ୍ଞାନର ଭଣ୍ଡାର ମହଜୁଦ ଥିଲେ ମଧ୍ୟ ବ୍ୟକ୍ତି ମନରେ ସଂକୀର୍ଣ୍ଣତା ତଥା ସ୍ୱାର୍ଥପରତା ସର୍ବଦା ରହୁଥିଲା  । ଡା. ହେଡ଼ଗେୱାର ବ୍ୟକ୍ତିର ମନରେ ରାଷ୍ଟ୍ରୀୟତାର ଭାବନାର ଅଭାବ ପରିଲକ୍ଷିତ କରିଥିଲେ  । ଏଣୁ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ରାଷ୍ଟ୍ରୀୟତାର ଭାବନା ଉଦ୍ରେକ କରିବା ସହିତ ରାଷ୍ଟ୍ରୀୟତାର ସଂସ୍କାର ଦେବା ପାଇଁ ସଂଘର ଶାଖା ଆରମ୍ଭ କରିଥିଲେ  । କ୍ରମଶଃ ସଂଘର ଶାଖା ନାଗପୁରରୁ ମହାରାଷ୍ଟ୍ର ବ୍ୟାପୀ ଓ ଦେଶବ୍ୟାପୀ ହେଲା  ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲକ୍ଷ୍ୟ ରାଷ୍ଟ୍ରର ସର୍ବାଙ୍ଗୀଣ ଉନ୍ନତି ଥିବା ସମୟରେ ତାତ୍କାଳିକ ଲକ୍ଷ୍ୟ ରାଷ୍ଟ୍ରର ସ୍ୱାଧୀନତା ଥିଲା  । ଏଣୁ ଡା. ହେଡ଼ଗେୱାର ସ୍ୱୟଂସେବକମାନଙ୍କୁ କଂଗ୍ରେସ ଦ୍ୱାରା ଆୟୋଜିତ ସମସ୍ତ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ  । ନିଜେ ମଧ୍ୟ ୧୯୩୦ ମସିହାର ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ  । ସରସଂଘଚାଳକ ପଦଭାର ଡ. ପରଞ୍ଜପେଙ୍କୁ ଅର୍ପଣ କରି ସେ ଜଙ୍ଗଲ ସତ୍ୟାଗ୍ରହ କରିଥିଲେ  । ୧୯୩୦ ଜୁଲାଇ ୨୧ ତାରିଖରେ ତାଙ୍କୁ ଗିରଫ କରାଯାଇ ଅପରାଧିକ ଦଣ୍ଡ ସଂହିତା ୧୧୭ ଧାରା ଅନ୍ତର୍ଗତ ୬ମାସ ଓ ୩୭୯ ଧାରା ଅନ୍ତର୍ଗତ ତିନିମାସ ଏହିପରି ମୋଟ ୯ମାସ ସଶ୍ରମ କାରାବାସ ଦଣ୍ଡ ଆଦେଶ ହୋଇଥିଲା  । ସଂଘର ମୁଖ୍ୟ ଜେଲରେ ଥିବା ସମୟରେ ସ୍ୱୟଂସେବକମାନେ ଇଂରେଜ ବିରୋଧରେ ଜନଜାଗରଣ ତୀବ୍ର ଗତିରେ ଜାରି ରଖିଥିଲେ  । ବହୁ ସ୍ୱୟଂସେବକ ମଧ୍ୟ ଗିରଫ ହୋଇଥିଲେ  । ଡା. ହେଡ଼ଗେୱାର ନିଜର ଓ ସଂଗଠନର ସାମୂହିକ ଆଚରଣରେ ପ୍ରମାଣିତ କରିଥିଲେ ଯେ ଦେଶଭକ୍ତି, ରାଜନୀତିକ ଚେତନାରୁ ଅଧିକ ସାଂସ୍କୃତିକ ଚେତନାରେ ପ୍ରଭାବିତ ହୋଇଥାଏ  । ଏଣୁ ସଂଘରୂପକ ଗୋଟିଏ ଅଣରାଜନୀତିକ ସଂଗଠନ ସ୍ୱାଧୀନତା ଆନ୍ଦୋଳନରେ ଯେପରି ସମର୍ପଣ ଭାବନା ପ୍ରଦର୍ଶନ କରିଥିଲା ତାହା ଡା. ହେଡ଼ଗେୱାରଙ୍କ କାର୍ଯ୍ୟଦକ୍ଷତାର ସାର୍ଥକତା ଥିଲା  ।