ସୋଆ ଆଇନ୍ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଜଷ୍ଟିସିଆ ୪.୦’ ଆୟୋଜିତ

ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ

ଭୁବନେଶ୍ୱର, ୩୦/୦୪: ସମାଜରେ ନିଜକୁ ପ୍ରତଷ୍ଠିତ କରିବା ପାଇଁ ଛାତ୍ରଛାତ୍ରୀମାନେ ନିଜ ଚରିତ୍ର ଗଠନ ସହ ଦକ୍ଷତାକୁ ବିକଶିତ କରିବା ଉଚିତ୍ ବୋଲି ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।

ଛାତ୍ରଛାତ୍ରୀମାନେ ନିଜକୁ ବିକଶିତ କରିବା ଦ୍ୱାରା ଜୀବନରେ ଉପୁଜୁଥିବା ସମସ୍ୟାକୁ ସମାହିତ କରିବାକୁ ପାରିବେ ବୋଲି କୁଳପତି ଗୁରୁବାର ଦିନ କହିଛନ୍ତି ।

ସୋଆ ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଜଷ୍ଟିସିଆ ୪.୦’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅନୁଭୂତିରୁ ପ୍ରଫେସର ନନ୍ଦ କହିଥିଲେ ଯେ ସେ ଆଇଆଇଟି, ବମ୍ବେର ଏକ ସମ୍ମିଳନୀରେ ଯୋଗ ଦେଇଥିଲେ ଯାହାକୁ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ରୂପେ ପରିଚାଳନା କରିଥିଲେ । ନିର୍ଭୁଲ ଭାବେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ବୋଲି ସେ କହିବା ସହ ଛାତ୍ରଛାତ୍ରୀମାନେ ଯେଉଁ ବି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ସେଥିରେ କୌଣସି ତ୍ରୁଟି ରହିବା ଉଚିତ୍ ନୁହେଁ ବୋଲି କହିଥିଲେ । ସେହିପରି ବରିଷ୍ଠ ଛାତ୍ରଛାତ୍ରୀମାନେ କନିଷ୍ଠ ଛାତ୍ରଛାତ୍ରୀମାନଙ୍କର ଯତ୍ନ ନେବା ଉଚିତ୍ ବୋଲି କୁଳପତି କହିଥିଲେ ।

କାର୍ଯ୍ୟକ୍ରମରେ ପ୍ରଫେସର ନନ୍ଦ କହିଥିଲେ ଯେ ୨୦୨୫ ଏନଆଇଆର୍‌ଏଫ୍ ରାଙ୍କିଙ୍ଗ ଅନୁଯାୟୀ ଏସ୍‌ଏନ୍‌ଆଇଏଲ୍ ଦେଶର ୧୦ମ ଶ୍ରେଷ୍ଠ ଆଇନ୍ ମହାବିଦ୍ୟାଳୟ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୧୫ ତମ ସ୍ଥାନ ହାସଲ କରିଛି ।

ଏହି କାର୍ଯ୍ୟକ୍ରମରେ ଏସ୍‌ଏନ୍‌ଆଇଏଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ କୁଳପତିଙ୍କୁ ସ୍ୱାଗତ କରିବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ସେହିପରି ଏସ୍‌ଏନ୍‌ଆଇଏଲ୍‌ର ସିନିୟର ପ୍ରଫେସର ମଧୁସୂଦନ ଦାସ କହିଥିଲେ ଯେ ସାଂସ୍କୃତିକ କାର୍ଯ୍ୟକ୍ରମ କେବଳ ପୁରସ୍କାର ପାଇଁ ନୁହେଁ ବରଂ ନିଜକୁ ଅଧିକ ଉନ୍ନତ କରିବା ନିମନ୍ତେ ଉଦ୍ଦିଷ୍ଟ ।

କାର୍ଯ୍ୟକ୍ରମ ଶେଷରେ ଏସ୍‌ଏନଆଇଏଲ୍‌ର ଆସିଷ୍ଟାଂଟ ପ୍ରଫେସର ଶ୍ରୀ ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।