ଗୁଡେଶିରା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ‘ଖଣ୍ଡାଧୁଆ’ ଓ ‘କଳସ ଆବାହନ’
ଦର୍ଶକଙ୍କ ମନ ମୋହିଲା ଦୁଲଦୁଲି ଓ ସଂକୀର୍ତ୍ତନ ମଣ୍ଡଳୀର ପରିବେଷଣ
ବରଗଡ଼, ୧୮/୦୩: ବରଗଡ଼ ସହର ଉପକଣ୍ଠ ଗୁଡେଶିରା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାରମ୍ପରିକ ‘ଖଣ୍ଡାଧୁଆ’ ଓ ‘କଳସ ଆବାହନ’ ନୀତିକାନ୍ତି ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇ ଉଠିବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ମା’ଙ୍କର ଏହି ଶୁଭ ବେଳାରେ ଶଙ୍ଖ, ଘଣ୍ଟ, ସଂକୀର୍ତ୍ତନ ଏବଂ ପଶ୍ଚିମ ଓଡ଼ିଶାର ପାରମ୍ପରିକ ଦୁଲଦୁଲି ବାଜାର ତାଳେ ତାଳେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ପରେ ଗ୍ରାମ ନିକଟସ୍ଥ କେନାଲ ପାର୍ଶ୍ୱରେ ମା’ଙ୍କର ବିଲ୍ବ ବରଣ ସହ ସମସ୍ତ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।

ଶ୍ରଦ୍ଧାଳୁମାନେ ପଣ୍ଡିତ ମାନଙ୍କ ମନ୍ତ୍ରଧ୍ୱନି ମଧ୍ୟରେ କଳସ ସ୍ଥାପନ କରି ମା’ଙ୍କୁ ଆବାହନ କରିଥିଲେ। ଦୁଲଦୁଲି ଓ ସଂକୀର୍ତ୍ତନ ମଣ୍ଡଳୀର ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା। ଶୋଭାଯାତ୍ରା ସମୟରେ ଗ୍ରାମବାସୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।
ଏହି କାର୍ଯ୍ୟକ୍ରମରେ ଗୁଡେଶିରା ଗ୍ରାମର ସମସ୍ତ ଅଧିବାସୀ ଓ ଆଖପାଖ ଅଞ୍ଚଳର ଭକ୍ତମାନେ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ପାରମ୍ପରିକ ରୀତିରେ ମା’ଙ୍କ ଏହି ପୂଜା ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ଆଣିଦେବ ବୋଲି ବିଶ୍ୱାସ କରାଯାଏ।