ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧,୯୯୭ କୋଟିରୁ ଉର୍ଦ୍ଧ୍ବ ବଜେଟ୍

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପାଇଁ ୧୦୧୦ କୋଟି। ଚଳିତ ବର୍ଷ ୨୦ ହଜାର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଯୋଜନା।

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ

ଭୁବନେଶ୍ୱର, ୨୦/୦୩: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିମନ୍ତେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ଆଜି ଖର୍ଚ୍ଚ ଦାବି ଆଲୋଚନା ବିଧାନସଭାରେ ଗୃହିତ ହୋଇଛି । ୩୧ ହଜାର ୯୯୭ କୋଟି ୨୩ ଲକ୍ଷ ୨୦ ହଜାର ଟଙ୍କାର ବିଶାଳ ବଜେଟ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିମନ୍ତେ ଉପସ୍ଥାପିତ କରାଯାଇଥିଲା । ଏହି ବଜେଟ୍‌ରେ ପ୍ରଶାସନିକ ବ୍ୟୟ ପାଇଁ ୧୬,୧୪୭ କୋଟିରୁ ଅଧିକ ଏବଂ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୫,୮୪୯ କୋଟିରୁ ଅଧିକ ରହିଛି ।

ଏହି ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ଭିତ୍ତିଭୂମି ମଜବୁତ କରିବା ସରକାରଙ୍କ ପ୍ରାଥମିକତା ବୋଲି ମତ ପ୍ରକାଶ କରିଛନ୍ତି । ବଜେଟ୍‌ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପାଇଁ ୧୦୧୦ କୋଟି, ସମଗ୍ର ଶିକ୍ଷା ପାଇଁ ୧୧୩୧ କୋଟି ୨୨ ଲକ୍ଷ ୬୨ ହଜାର, ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ପାଇଁ ୭୦୯ କୋଟି ୧୦ ଲକ୍ଷ ୪୯ ହଜାର ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପାଇଁ ୭୩୧ କୋଟି ୨୨ ଲକ୍ଷ ୫୫ ହଜାର ଅର୍ଥ ବରାଦ ହୋଇଛି । ଏହାସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୨୨୩ କୋଟି ୯୮ ଲକ୍ଷ ୩୫ ହଜାର ଓ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସାଇକେଲ, ପରିଧାନ ଓ ପାଠ୍ୟପୁସ୍ତକ ବଣ୍ଟନ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି ।

ଭିତ୍ତିଭୂମି ଉନ୍ନତି ପାଇଁ ୯୩୦ କୋଟିରୁ ଅଧିକ ଅର୍ଥ ବରାଦ କରାଯାଇଥିବାବେଳେ ଏଥିରେ ନୂତନ ଶ୍ରେଣୀଗୃହ, ଶୌଚାଳୟ, ବିଦ୍ୟାଳୟ ମରାମତି ଓ ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ ଅଛି । ଗୁଣାତ୍ମକ ଶିକ୍ଷା ପାଇଁ ସରକାର ଶିକ୍ଷକ ନିଯୁକ୍ତିକୁ ତ୍ୱରାନ୍ୱିତ କରିଛନ୍ତି । ଏପର୍ଯ୍ୟନ୍ତ ୨୨,୫୦୨ ଜଣ ଶିକ୍ଷକ ନିଯୁକ୍ତ ହୋଇଥିବାବେଳେ ଚଳିତ ବର୍ଷ ଆଉ ୨୦,୦୦୦ ପଦବୀ ପୂରଣ ପାଇଁ ଯୋଜନା ରହିଛି ।

ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ (Text Book) ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି କ୍ରମେ, ୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୫୧ କୋଟି ଟଙ୍କା ଅର୍ଥ ରାଶିର ବ୍ୟୟ ବରାଦ କରାଯାଇଛି । ଏହା ଦ୍ୱାରା ରାଜ୍ୟର ନବମ ଓ ଦଶମ ଶ୍ରେଣୀର ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଉପକୃତ ହେବେ।

ଏହାସହ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯାଉଛି । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ମଧ୍ୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ବଜେଟ୍ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ଏବଂ ଛାତ୍ରଛାତ୍ରୀଙ୍କ ସମଗ୍ର ଉନ୍ନତିରେ ସହାୟକ ହେବ ।