ଭୁବନେଶ୍ୱର, ୨୧/୦୩: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନାଙ୍କ ୟୁନିଟ୍-୬ ସ୍ଥିତ ଘର ଆଗରେ ହଙ୍ଗାମା କରିଛନ୍ତି ଦଳରୁ ନିଲମ୍ୱିତ ଯୁବ ଓ ଛାତ୍ର ବିଜେଡି ନେତା। ପ୍ରତାପ ଜେନାଙ୍କ ଘର ଆଗରେ ବାଣ ଫୁଟାଇବା ସହ ମିଠା ଖାଇ ହୋହଲ୍ଲା କରିଛନ୍ତି। ସେମାନଙ୍କୁ ବିରୋଧ କରିବାରୁ ପ୍ରତାପଙ୍କ ଘରେ ଥିବା ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ପ୍ରତାପ ଜେନା। ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସୁରକ୍ଷା ଲୋଡ଼ିବା ସହ ଏ ଘଟଣା ସମ୍ପର୍କରେ ଲେଖିଛନ୍ତି। ଏହି ଘଟଣା ପରେ ସକାଳୁ ପ୍ରତାପଙ୍କ ଘର ଆଗରେ ବଢିଛି ସୁରକ୍ଷା ବ୍ୟବସ୍ଥା। କମିଶନରେଟ୍ ପୋଲିସ୍ ଓ ଡିଜିପିଙ୍କୁ ଜଣାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସ୍ପେଣ୍ଡ ହୋଇଛନ୍ତି ୧୦ ଛାତ୍ର ଓ ଯୁବ ନେତା। ତେବେ ଏହି ଘଟଣା ନେଇ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ପ୍ରତାପ ଜେନା। ସେ କହିଛନ୍ତି, ୧୫ରୁ ୨୦ ପିଲା ଆସି ମୋ ଘର ଆଗରେ ହୋହଲ୍ଲା କରିଥିଲେ। ସେ ମାହାଙ୍ଗାରେ ଥିବା ସମୟରେ ଘର ଆଗରେ ହୋହଲ୍ଲା ସହ ଗାଳିଗୁଲଜ କରିଥିଲେ। ସିକ୍ୟୁରିଟି ଗାର୍ଡକୁ ବାଡ଼େଇବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। କେଉଁମାନେ କ୍ୟାମ୍ପସ୍ ଭିତରକୁ ଆସିଥିଲେ, ଭିଡିଓରେ ସେ ସବୁ ରହିଛି। ଯେଉଁମାନେ ସସ୍ପେଣ୍ଡ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଥିଲେ।