ଭୁବନେଶ୍ୱର, ୨୧/୦୩: ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା ଘଟଣାରେ ୨ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ। ଦୁଇ ଯୁବ ନେତା ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କାଙ୍କୁ ଗିରଫ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଭୟ ବିଜୁ ଛାତ୍ର ଜନତା ଦଳ ଉପସଭାପତି ଥିବା ବେଳେ ଗତ କାଲି ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିଲେ।
ସୂଚନାଯୋଗ୍ୟ, ଗତ କାଲି ରାତିରେ ପ୍ରତାପ ଜେନା ମାହାଙ୍ଗାରେ ଥିବା ବେଳେ ତାଙ୍କ ୟୁନିଟ୍-୬ ସ୍ଥିତ ଘରେ କିଛି ଯୁବକ ତାଙ୍କ ଘର ଆଗରେ ବାଣ ଫୁଟାଇବା ସହ ମିଠା ଖାଇଥିଲେ। ପ୍ରବଳ ହୋହଲ୍ଲା କରିଥିଲେ। ଏପରିକି ଘରର ସିକ୍ୟୁରିଟି ଗାର୍ଡ ଓ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଯାହା ପରେ ପ୍ରତାପ ଜେନା ଥାନାରେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ, କମିଶନରେଟ୍ ପୋଲିସ୍ ଓ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।