ସହରାଞ୍ଚଳରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ କର୍ମଶାଳା

ଆସନ୍ତା ଶନିବାର ଦିନ ସମଗ୍ର ରାଜ୍ୟରେ ଅଗ୍ନିନିରାପତ୍ତା ମକଡ୍ରିଲ କରାଯିବ: ଅଗ୍ନିଶମ ମହାନିର୍ଦେଶକ

ଭୁବନେଶ୍ୱର, ୨୩/୦୩: ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ସେବା ପକ୍ଷରୁ ଆଭାସୀ (ଭର୍ଚୁଆଲ୍) ଜରିଆରେ ମିଳିତ ଭାବେ ଏକ ଉଚ୍ଚସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସହରାଞ୍ଚଳରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଏବଂ ବୈଷୟିକ ପ୍ରସ୍ତୁତିକୁ ଅଧିକ ସମନ୍ୱିତ କରିବା ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କର୍ମଶାଳାରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ଦେବା ସହ ନିରାପତ୍ତାମୂଳକ ପଦକ୍ଷେପ, ଆଧୁନିକ ଅଗ୍ନିଶମ ଉପକରଣର ବ୍ୟବହାର ଏବଂ ସାଂଗଠନିକ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ସମଗ୍ର ରାଜ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ହେଉଛି ପ୍ରଥମ ବିଭାଗ ଯିଏ ଏଭଳି ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଅନ୍ତଃ-ବିଭାଗୀୟ ସମନ୍ୱୟର ଏକ ନୂତନ ଉଦାହରଣ ସୃଷ୍ଟି କରିଛି।

ଆସନ୍ତା ଶନିବାର ଦିନ ରାଜ୍ୟବ୍ୟାପୀ ଏକ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଥିଲେ ଏବଂ ଏହାର ସଫଳ ରୂପାୟନ ପାଇଁ ସମସ୍ତ ପୌରାଞ୍ଚଳ ଗୁଡ଼ିକର ସହଯୋଗ କାମନା କରିଥିଲେ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଅଗ୍ନି ନିରାପତ୍ତାକୁ କେବଳ ଏକ ନିୟମ ପାଳନ ଭାବେ ନଦେଖି ସହର ଶାସନ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ସମସ୍ତ ପୌରାଞ୍ଚଳ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଶ୍ରୀମତୀ ପାଢୀ ନିର୍ଦେଶ ଦେଇଛନ୍ତି I

ଏହି ଆଭାସୀ ବୈଠକରେ ରାଜ୍ୟର ସମସ୍ତ ମହାନଗର ନିଗମର କମିଶନର, ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏଥିସହ ଅଗ୍ନିଶମ ଅଧିକାରୀ ଓ ଉପ-ଅଗ୍ନିଶମ ଅଧିକାରୀମାନେ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ଏଥିରେ ସାମିଲ ହୋଇଥିଲେ।

ନିକଟରେ ଘଟିଥିବା ଅଗ୍ନିକାଣ୍ଡଗୁଡ଼ିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଆଲୋଚନା ହୋଇଥିଲା। ଏହା ମୁଖ୍ୟତଃ ତିନୋଟି ଦିଗ ଉପରେ ପର୍ଯ୍ୟବେସିତ ଥିଲା—ପ୍ରସ୍ତୁତି, ପ୍ରତିରୋଧ ଏବଂ ଜନସଚେତନତା।

ସହରଗୁଡ଼ିକୁ ଅଗ୍ନି-ନିରାପଦ କରିବା ପାଇଁ ବିଭାଗ ପକ୍ଷରୁ କେତେକ ପ୍ରମୁଖ ପଦକ୍ଷେପ ନିଆଯାଇଛି:

* ଅଧିକାରୀ ଏବଂ ନାଗରିକମାନଙ୍କୁ କ୍ରମାଗତ ଭାବେ ସଚେତନ କରିବା।

* ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକରେ ବାଧ୍ୟତାମୂଳକ ନିୟମିତ ଅଗ୍ନି ସୁରକ୍ଷା ଯାଞ୍ଚ।

* ତୃଣମୂଳ ସ୍ତରରେ ଅଗ୍ନି ପ୍ରତିରୋଧ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଉପରେ ସଚେତନତା ଅଭିଯାନ।

ପ୍ରାରମ୍ଭରେ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡ଼ାକୁଆ ସ୍ୱାଗତ ଭାଷଣ ଦେବା ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସମସ୍ତ ପୌର ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶେଷରେ, ସମସ୍ତ ମହାନଗର ନିଗମର କମିଶନର, ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ମାନଙ୍କୁ ସେମାନଙ୍କ ଅଞ୍ଚଳରେ ତୁରନ୍ତ ସୁରକ୍ଷା ଅଡିଟ୍ ଏବଂ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଭବିଷ୍ୟତରେ ଯେକୌଣସି ଅଘଟଣକୁ ଏଡ଼ାଯାଇପାରିବ।